ଭୁବନେଶ୍ୱର : ଆଜି ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟ, ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଲିମ୍ପିକ୍ ଫାଉଣ୍ଡେସନ ଫର୍ କଲଚର ଏଣ୍ଡ୍ ହେରିଟେଜ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସହଯୋଗରେ ଅଲିମ୍ପିକ୍ ମୂଲ୍ୟବୋଧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗୋପବନ୍ଧୁ ଏକାଡେମୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରଠାରେ ଉଦ୍ଘାଟିତ ହୋଇଯାଇଛି ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଏ ବି ଏଫ୍ ଟିର ଫାଉଣ୍ଡର ଶ୍ରୀ ଅଭିନବ ବିନ୍ଦ୍ରା, ଆଇଓସିର ସାଧନ କର୍ମୀ ମିସ୍ ଏଫ୍ ଜାମୋଲି ଏବଂ ମିସ୍ ଜେନିଆ କୁର୍ଗୋ ଯୋଭା, ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ, ଓସେପାର ଉପନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ଏବଂ ଅନ୍ୟାନ୍ୟ ସହଯୋଗୀମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଶ୍ରୀ ଅଭିନବ ବିନ୍ଦ୍ରା ଅଲମ୍ପିକ ମୂଲ୍ୟବୋଧ ସଂପର୍କରେ ନିଜର ଚମତ୍କାର ବକ୍ତବ୍ୟ ରଖିଥିବାବେଳେ ଶ୍ରୀ ଅନୁପମ ସାହା ଓଡିଶାର ବିଦ୍ୟାଳୟମାନଙ୍କରେ ଅଲମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ସାହା ପ୍ରଥମ କରି ସମଗ୍ର ଦେଶରେ ଓଡିଶାରେ ଏହି କାର୍ଯ୍ୟକ୍ରମର ଶୁଭ ଉନ୍ମୋଚନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କରାଯାଇଛି ବୋଲି କହିବା ସହିତ ଉପସ୍ଥିତ ପ୍ରଧାନଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀମାନଙ୍କୁ ଜଣେ ଜଣେ ଯୋଦ୍ଧା ଭାବରେ କାର୍ଯ୍ୟ କରିବା ପାଇଁ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପି ଚାଲୁ ରହିବ । ଏଥିରେ ଉଭୟ ତତ୍ତ୍ୱଗତ ତଥା ଅନେକ ଗୁଡିଏ ଆଲୋଚନାମୂଳକ ଅଧିବେଶନ ସାମିଲ କରାଯାଇଛି । ଚଳିତ ଶିକ୍ଷାବର୍ଷରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ତଥା ରାଉରେକଲାର ୯୦ଟି ବିଦ୍ୟାଳୟରେ କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଥିବାବେଳେ ଏଥିରେ ପାଖାପାଖି ୩୨ ହଜାର ଛାତ୍ରଛାତ୍ରୀ ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷାଲାଭ କରି ଉପକୃତ ହେବେ ବୋଲି ଆଶା କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରଖାଯାଇଛି ।
Sign in
Sign in
Recover your password.
A password will be e-mailed to you.