ପଦ୍ମପୁର ଅଞ୍ଚଳରେ ଦଲାଲ ସକ୍ରିୟ, ଜାଣିଶୁଣି ନିଘୋଡ଼ ନିଦରେ ଯୋଗାଣ ବିଭାଗ!

0

ପଦ୍ମପୁର(ଶାସକପ୍ରଶାସକ)-ଚଳିତ ବର୍ଷ ପଦ୍ମପୁର ଆରଏମସି ଅଧିନରେ ମେ ମାସ ୧୫ ତାରିଖରୁ ରବି ୠତୁର ଧାନ କିଣା ଆରମ୍ଭ ହୋଇଛି । ପଦ୍ମପୁର ଆରଏମସି ଅଧିନରେ ସମୁଦାୟ ୪୨ ଗୋଟି ମଣ୍ଡି ଖୋଲାଯାଇ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁସାରେ ରବି ୠତୁର ଧାନ କିଣା ଯାଉଛି । ବିଭିନ୍ନ ମଣ୍ଡିରେ ସମବାୟ ସମିତି ଓ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣା ଚାଲିଛି । ଧାନ କିଣାରେ ଦଲାଲ ସକ୍ରିୟ ଥିବା ଅଭିଯୋଗ ହେଉଛି । ପଦ୍ମପୁର ଅଞ୍ଚଳ ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବା କାରଣରୁ ଓଡିଶାର ଦଲାଲ ମାନେ ଛତିଶଗଡ଼ରୁ ୧୦୦୦ ରୁ ୧୨୦୦ ଟଙ୍କା ମଧ୍ୟରେ ଧାନ କିଣି ଓଡ଼ିଶାର ଧାନ ମଣ୍ଡିରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରି ବେଶ ଲାଭବାନ ହେଉଥିବା ଅଭିଯୋଗ ହେଉଛି । ରାଜ୍ୟ ସିମାନ୍ତବର୍ତୀ ଅଞ୍ଚଳରେ ନା ପୋଲିସ ପକ୍ଷରୁ ଯାଞ୍ଚ ଚାଲିଛି ନା ଯୋଗାଣ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି । ସେଥିପାଇଁ ବେଧଡ଼କ ଭାବରେ ଅସାଧୁ ବ୍ୟବସାୟୀ ମାନେ ଛତିଶଗଡ଼ ରୁ ଧାନ ଆଣି ଓଡିଶାରେ ବିକ୍ରି କରୁଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଯୋଗାଣ ବିଭାଗର ଅସାଧୁ କର୍ମଚାରୀ ମାନେ ଦଲାଲ ମାନଙ୍କୁ ପ୍ରଶୟ ଦେବା ସହ ଏହି କାର୍ଯ୍ୟରେ ସହଯୋଗ କରୁଥିବା ମନେ ହୁଏ । ଯେହେତୁ ଛତିଶଗଡ଼ରେ ରବି ୠତୁର ଧାନ କ୍ରୟ ହୋଇନଥାଏ ତେବେ ସେଠାକାର ଚାଷୀମାନେ ବାଧ୍ୟହୋଇ ଓଡ଼ିଶାର ବ୍ୟବସାୟୀ ମାନଙ୍କୁ ବିକ୍ରି କରିଥାନ୍ତି ଏବଂ ଏଠାକାର ବ୍ୟବସାୟୀ ମାନେ ଓଡ଼ିଶାର ଚାଷୀଙ୍କ ଧାନ କାର୍ଡକୁ କମ ଦାମରେ କିଣି ମଣ୍ଡିରେ ଧାନ ବିକ୍ରି କରି ବେଶ ଲାଭବାନ ହୋଇଥାନ୍ତି । ଏହା ଦ୍ବାରା ପ୍ରକୃତ ଚାଷୀ ଶୋଷଣ ହେଉଛନ୍ତି ଏବଂ ଦଲାଲ ମାନେ ଲାଭବାନ ହେଉଛନ୍ତି । ଯୋଗାଣ ବିଭାଗ ତଥା ପଦ୍ମପୁର ଉପଖଣ୍ଡ ପ୍ରଶାସନ ସଜାଗ ହେବା ସହ ତତ୍ପରତା ସହ ଯାଞ୍ଚ କଲେ ସବୁ ଜଣା ପଡିବା ସହ ଚାଷୀ ଧାନ ବିକ୍ରି କରି ସରକାରୀ ମୂଲ୍ୟ ପାଇ ପାରିବେ ।

Leave A Reply

Your email address will not be published.