ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କୋଭିଡ ସମୟରେ କୋଭିଡ ଦ୍ଵାରା ବାପା ଓ ମାଁ ଙ୍କୁ ଏବଂ ବାପା କିମ୍ବା ମାଁଙ୍କୁ ହରାଇ ଥିବା ୮ ଜଣ ଶିଶୁଙ୍କୁ କେନ୍ଦ୍ର ସରକାରଙ୍କ ପିଏମ କେୟାର୍ସ ଫର ଚିଲଡ୍ରେନ୍ସ ଯୋଜନାରେ (କର୍ପସ ପାଣ୍ଠି ) ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ , ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ , ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।
ମଞ୍ଚାସିନ ପାରଳା ବିଧାୟକ ଶ୍ରୀ ରାଓ ଏବଂ ଜିଲ୍ଲାପାଳ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , ଗଜପତି ଜିଲ୍ଲାରେ କୋଭିଡ଼ ସମୟରେ କୋଭିଡ଼ ଦ୍ବାରା ବାପା ଓ ମାଁ ଙ୍କୁ ହରାଇ ଥିବା ୮ ଜଣ ଶିଶୁଙ୍କ ପାଇଁ ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନାର ସହାୟତା , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପିଲା ମାନଙ୍କର ଫିକ୍ସଡ଼ ଜମା ଖାତାକୁ କର୍ପସ ପାଣ୍ଠି ପ୍ରଦାନ କରିଛନ୍ତି।
ଗତ ୧୧ ମାର୍ଚ୍ଚ ୨୦୨୦ ରୁ ୨୮ ଫେବୃଆରି ୨୦୨୨ ମଧ୍ୟରେ ନିଜ ବାପା- ମାଆଙ୍କୁ ହରାଇଥିବା ପିଲାମାନେ ଏହି କେନ୍ଦ୍ରୀୟ ଯୋଜନାର ସୁବିଧା ପାଇପାରିବେ।
ଏହି ଯୋଜନାର ଉଦ୍ଦେଶ୍ୟ ହେଲା ଯେ କୋଭିଡ଼ରେ ବାପା- ମାଙ୍କୁ ହରାଇଥିବା ଶିଶୁ ମାନଙ୍କୁ ପରବର୍ତ୍ତୀ ସମୟରେ କିପରି ଯତ୍ନ ଓ ସୁରକ୍ଷା ଯୋଗାଇବା , ସ୍ବାସ୍ଥ୍ୟବୀମା ମାଧ୍ୟମରେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାକୁ ଧ୍ୟାନ ଦେବା , ଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନେ କିଭଳି ଆତ୍ମ-ନିର୍ଭରଶୀଳ ହେବେ , ସେଥିପାଇଁ ସେମାନଙ୍କୁ ୨୩ ବର୍ଷ ହେବା ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ଯୋଗାଇବା।
୧୮ ବର୍ଷ ବୟସ ହେବା ପରେ ପିଲାମାନେ ଫିସ୍କଡ଼ ଜମା ଥିବା ୧୦.୦୦୦୦୦ (ଦଶ ଲକ୍ଷ) ଟଙ୍କାର ସୁଧକୁ ନେଇ ସେମାନଙ୍କର ପାଠ ପଢବା ଖର୍ଚ୍ଚ କରିପାରିବେ ଏବଂ ୨୩ ବର୍ଷ ପରେ ସେମାନେ ଚାହିଁଲେ ଦଶ ଲକ୍ଷ ଟଙ୍କାକୁ ଉଠାଇ ଭବିଷ୍ୟତର କାମରେ ଲଗାଇପାରିବେ।
ଯୋଗ୍ୟ ପିଲାମାନଙ୍କ ମଧ୍ୟରୁ ଗୋଟିଏ ପିଲାକୁ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଅନ୍ୟ ପାଞ୍ଚଜଣ ପିଲାଙ୍କୁ ଘରୋଇ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାହୋଇଛି।
ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ପିଲାଙ୍କୁ ମାସିକ ୧୦୦୦ ଟଙ୍କା ଏବଂ ଅନ୍ୟମାନଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏଁ ଦିଆଯାଉଛି।
ମିଶନ୍ ବାତ୍ସଲ୍ୟରେ ପୃଷ୍ଠପୋଷକତା ସହାୟତା ହିସାବରେ ବର୍ତ୍ତମାନ ପ୍ରତି ପିଲାଙ୍କୁ ଟଙ୍କା ୨୦୦୦ ଲେଖାଏଁ ଦିଆଯାଉଛି ଯାହାକି ଆସନ୍ତା ଦିନରେ ମାସିକ ୪୦୦୦ ଟଙ୍କା ଲେଖାଏଁ ଦିଆଯିବାର ବ୍ୟବସ୍ଥା ରହିଛି।
ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ପ୍ରତ୍ୟେକ ପିଲାଙ୍କୁ ବାର୍ଷିକ ୨୦୦୦୦ ଟଙ୍କା ଲେଖାଏଁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟରୁ ଦେବାର ବ୍ୟବସ୍ଥା ରହିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସୂଚନା ଦେଇ କହିଥିଲେ।
ଏହି କାର୍ଯ୍ୟକ୍ରମରେ ୧୮ ବର୍ଷରୁ ଅଧିକ ବୟସର ଜଣକୁ ସହାୟତା ପ୍ରମାଣପତ୍ର ବଣ୍ଟନ କରାଯାଇଥିବା ବେଳେ ଅନ୍ୟମାନେ ଛୋଟ ବୟସର ହୋଇଥିବା ଯୋଗୁଁ ସେମାନଙ୍କୁ କ୍ୟାମେରା ସମ୍ମୁଖକୁ ନ ଆଣି ଅନ୍ୟତ୍ର ବଣ୍ଟନ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ପଣ୍ଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।
ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ ବିଭୀଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post