ଓଡ଼ିଶାରେ ବୃଦ୍ଧି ପାଇବ ତାପମାତ୍ରା, ମୌସୁମୀ ଆଗମନ ନେଇ ଅନିଶ୍ଚିତତା

0

ଭୁବନେଶ୍ୱର : ଉତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡ଼ିଶାରେ ମେ ୨୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼ିବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପ ସୃଷ୍ଟି ହେବା ସହ କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସରୁ ୪୭ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ସିଇସିର ନି୍େ‌ର୍ଦ୍ଦଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି । ଉପକୂଳ ଅଂଚଳରେ ମଧ୍ୟ ଜୁନ ପ୍ରଥମ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିପାରେ ବୋଲି ସେ କହିଛନ୍ତି ।
ପବନର ଦିଗ ଅକସ୍ମାତ ବଦଳିବା ସହ ବାୟୁରେ ଆର୍ଦ୍ରତାର ପରିମାଣ ଠିକ୍ ମାତ୍ରାରେ ନଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହ୍ରାସ ପାଇଛି | ମାତ୍ର ଅପର ଏୟାରଟ୍ରଫ୍‌ର ଉପସ୍ଥିତି ଯୋଗୁଁ କେତେକ ସ୍ଥାନରେ ଆଜି କିମ୍ବା ଆସନ୍ତା କାଲି କାଳବୈଶାଖୀ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସୂଚନା ନାହିଁ ତେଣୁ ଜୁନ୍‌ ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ମୌସୁମୀର ପ୍ରବେଶ ନେଇ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । କେରଳରେ ବର୍ଷାର ଆଗମନ ଓ ପରିବେଶ ଅନୁକୂଳ ହେଲେ ହିଁ ଓଡ଼ିଶାରେ ମୌସୁମୀ ପ୍ରବେଶ ନେଇ ଆକଳନ କରିହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.