ନୟାଗଡ଼ (ବିଶ୍ୱଜିତ ନାୟକ) – ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୩୯ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୩୫ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫରୁ ୨ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୪୦୦୦୦/- ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ କେସ ଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହା ପରେ ପରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ପାଇଁ ମଂଜୁର ହୋଇଥିବା ମାଗଣା ଲ୍ୟାପଟପ୍ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ କରକମଳରେ ବିଭିନ୍ନ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଅଧ୍ୟୟନରତ ୪ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ସେମାନଙ୍କ ଉଚ୍ଚଶିକ୍ଷାରେ ଉନ୍ନତି ନିମନ୍ତେ ପ୍ରଦାନ କରିଥିଲେ । ସେହି ଛାତ୍ରମାନେ ହେଲେ ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାର ଶ୍ରୀ ବଳରାମ ମାଝି ଓ ଆମ୍ବଝର ଗ୍ରାମର ଶ୍ରୀ ଅନିଲ କୁମାର ରଥ ଏବଂ ନୟାଗଡ଼ ବ୍ଲକ ଅନ୍ତର୍ଗତ କଂଚନବିଲି ଗ୍ରାମର ଶ୍ରୀ ନିଳମାଧବ ଦାସ ଓ ରଘୁନାଥପ୍ରସାଦ ଗ୍ରାମର ଶ୍ରୀ ସୁରଜ କୁମାର ନାୟକ । ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ୨୦୧୩-୧୪ମସିହାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଅଦ୍ୟାବଧି ନୟାଗଡ଼ ଜିଲ୍ଲାରେ ମୋଟ ୪୨ଜଣ ଛାତ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ବିଭାଗ ତରଫରୁ ମଧ୍ୟ ନୟାଗଡ଼ ଜିଲ୍ଲାର ୭ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ସ୍ୱରୁପ ପ୍ରତ୍ୟେକଙ୍କୁ ୨ଲକ୍ଷ୫୦ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଶେଷରେ ଖବର କାଗଜ ବିତରକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ପରିଚୟ ପତ୍ର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ପହି,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ,ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୟାଗଡ଼, ତହସିଲଦାର ନୟାଗଡ଼, ଜିଲ୍ଲାସ୍ତରୀୟ ପଦାଧିକାରୀ,ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା. ଟୁଡୁଙ୍କୁ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.