କେନ୍ଦୁଝର ଟ୍ରକ ବେପାର : ପେଟ ପୋଡି ଯାଉଛି ହେଲେ ମୁହଁରେ ଲାଜ !!

0

ବେଳ ଥାଉ ଥାଉ ପ୍ରଶାସନ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ଟ୍ରକ ମାଲିକମାନଙ୍କ ଦାବି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ମୁଖ୍ୟ ବେପାର ଟ୍ରକ ପରିବହନ ବୋଲି ଦେଶ ସାରା ଜାଣନ୍ତି । ତେଣୁ ଜିଲ୍ଲାରେ ପ୍ରାୟ ସବୁ ଖଣିରୁ ଦେଶ ସାରାରୁ ଟ୍ରକ ଆସି ଲୁହା ପଥର ବୋହିଥାନ୍ତି । ତେବେ ନିୟମିତ ସୁରୁଖୁରୁରେ ଟ୍ରକରେ ଖଣିଜ ପରିବହନ ଲାଗି କିଛି ଟ୍ରକ ମାଲିକ ସଂଘ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ପଞ୍ଜିକୃତ ହୋଇ ନିଜ ପରିସରରେ କାର୍ଯ୍ୟ କରି ଆସୁଛନ୍ତି । ହେଲେ କେନ୍ଦୁଝର ମୁଖ୍ୟାଳୟରେ ଥିବା କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଦେଶର ଏକ ବୃହତ ବିତ୍ତଶାଳୀ ସଂଗଠନ ଏଥିରେ ହଜାର ହଜାର ଟ୍ରକ ମାଲିକ ପଞ୍ଜିକୃତ । ଯୋଡ଼ା ବଡ଼ବିଲ ଅନନ୍ଦପୁରରେ ଥିବା ଟ୍ରକ ମାଲିକ ମାନେ ନିଜ ପାଖ ଆଖ ଖଣି ଅଂଚଳରେ ଥିବା ଟ୍ରକ ମାଲିକ ସଂଘରେ ପଞ୍ଜିକୃତ କରି ଖଣିଜ ପରିବହନ କରନ୍ତି। କିନ୍ତୁ ଏବେ କେନ୍ଦୁଝର ସହର ପାଖ ରାଜ୍ୟ ଖଣି ନିଗମର ଶୁଆକାଟୀରେ ଲୁହା ପଥର ବୋହିବାକୁ କେନ୍ଦୁଝର ଅନ୍ୟାନ୍ୟ ଅଂଚଳରୁ ହଜାର ହଜାର ଟ୍ରକ ଆସି ଜମା ହେବାରୁ ନାହିଁ ନଥିବା ପରିସ୍ଥିତି ସ୍ଥାନୀୟ ଖଣି ପ୍ରଭାବିତ ବେକାର ପିଲା ଟ୍ରକ ଆଣି ବେପାର କରୁ ଥିଲା ବେଳେ ଲୋଡିଙ୍ଗ ପାଉ ନାହାଁନ୍ତି । ଏପରିକି ମାସକୁ ଗୋଟେ ଦୁଇଟା ଟ୍ରିପ କରି କିସ୍ତି ଦେଇ ପାରୁ ନାହାଁନ୍ତି । କିନ୍ତୁ ଏକଥା ବୁଝିବାକୁ ସଙ୍ଘ ପାଖେ ସମୟ ନାହିଁ କର୍ମକର୍ତ୍ତା ମାନେ ଭୋଟ ଲାଗି ଜିଲ୍ଲା ସାରାରୁ ଟ୍ରକ ଆଣି ଏଠାରେ ମେଳା କରିଛନ୍ତି ।
ସଂଘ କର୍ମକର୍ତ୍ତା ମାନେ ଅତ୍ୟଧିକ ଟ୍ରକକୁ ନିୟନ୍ତ୍ରଣ ଲାଗି ବିଫଳ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁ ଥିବାରୁ ସହର ବାହାର ଭୋଟ ନପାଇବା ଭୟରେ ଜାଣିଶୁଣି ମୌନ ବ୍ରତ ଧାରଣ କରିଛନ୍ତି । ଏପଟେ ସ୍ଥାନୀୟ କେନ୍ଦୁଝରଗଡ଼ ଟ୍ରକ ମାଲିକଙ୍କ ପାଖେ ଚଳିବାକୁ ବିକଳ୍ପ ପନ୍ଥା ନଥିବାରୁ ସେମାନେ ଏକ ଆଞ୍ଚଳିକ ଟ୍ରକ ମାଲିକ ସଂଘ ଗଠନ କରି ଆପଣା ସ୍ୱାର୍ଥ ରକ୍ଷା କରିବାକୁ ଭିତିରିଆ କାର୍ଯ୍ୟକ୍ରମ ଚଳେଇଛନ୍ତି । କେନ୍ଦୁଝର ସହର ଶୁଆକାଟୀ ଖଣି ଲାଗି ବିଶେଷ ପ୍ରଭାବିତ ହେଉ ଥିବାରୁ ସ୍ଥାନୀୟ ଲୋକଙ୍କୁ ଅବହେଳା କଲେ ପରିସ୍ଥିତି ଖରାପ ହେବାକୁ ଡେରି ଲାଗି ନପାରେ । ତେଣୁ ବେଳ ଥାଉ ଥାଉ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଟ୍ରକ ମାଲିକ ସଂଘକୁ ତାଗିଦ କରି ବାହାର ଅତ୍ୟଧିକ ଟ୍ରକକୁ ଏଠାରୁ କମାଇ ନିୟନ୍ତ୍ରଣ କରୁ ।

Leave A Reply

Your email address will not be published.