ସୁକିନ୍ଦା: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି। ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଏକ ବଡ଼ ସଫଳତା ଓ ପର୍ଯ୍ୟାବରଣ, ସାମାଜିକ ଓ କର୍ପୋରେଟ୍ ଶାସନ ନୀତିକୁ ପ୍ରୋତ୍ସାହିତ କରିବା ସହିତ ଉଚ୍ଚସ୍ତରର ମାନକ କାର୍ଯ୍ୟକାରୀ କରିବା ଦିଗରେ ଚାଲିଥିବା ପ୍ର୍ରୟାସ ପାଇଁ କମ୍ପାନୀକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି।
ମାର୍ଚ୍ଚ ୨୩ ତାରିଖ ଦିନ ଇଣ୍ଡିଆ ଇନଷ୍ଟିଟ୍ୟୁଟ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା, କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଟିଏସ୍ଏମ୍ଏଲ୍ର ବାଣିଜ୍ୟିକ ବିଭାଗ ବରିଷ୍ଠ ମହା ପ୍ରବନ୍ଧକ ରାଜଶ୍ରୀ ପାଲିତ କମ୍ପାନୀ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ପୁରସ୍କାର ପର୍ଯ୍ୟାବରଣ, ସାମାଜିକ ଓ ଶାସନ ନୀତିର ଦୀର୍ଘସ୍ଥାୟୀ ପରିଚାଳନା ପାଇଁ ଟାଟା ଷ୍ଟିଲ ମାଇନିଂର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ କରିଛି। ସ୍ମାର୍ଟ ଖନନ, ବୈଷୟିକ ସଫଳତା, ପରିଚାଳନାଗତ ନୂତନ ପଦକ୍ଷେପ ଏବଂ ସହଭାଗିତା ଉପରେ ଗୁରୁତ୍ୱାରୋପ ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ଖନନ ଓ ଫେରୋକ୍ରୋମ୍ ଉତ୍ପାଦନ ପ୍ରକ୍ରିୟାରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣିବା ହେଉଛି ଆମର ଲକ୍ଷ୍ୟ। ଏହି ଦିଗରେ ଆମେ ଜନସାଧାରଣ, ପୃଥିବୀ ଏବଂ ସମାଜ ଓ ବ୍ୟବସାୟିକ ଲାଭ ମଧ୍ୟରେ ସମନ୍ୱୟକୁ ସୁଦୃଢ କରିବା ପାଇଁ ପ୍ର୍ରୟାସ କରିଆସିଛୁ। ଏହି ସମ୍ମାନ ଆମ କର୍ମଚାରୀମାନଙ୍କୁ ଅଧିକ ଉତ୍ସାହିତ କରିବା ସହିତ ଆମ ଦୀର୍ଘସ୍ଥାୟୀ କାର୍ଯ୍ୟଧାରାକୁ ଉଚ୍ଚସ୍ତରକୁ ନେବା ପାଇଁ ଆମର ସଂକଳ୍ପକୁ ଅଧିକ ସୁଦୃଢ କରିବ।
ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପାଲିତ୍ କହିଛନ୍ତି ଯେ, “ଦୀର୍ଘସ୍ଥାୟିତ୍ୱକୁ ସର୍ବଦା ଟାଟା ଷ୍ଟିଲ ମାଇନିଂର ବ୍ୟବସାୟିକ ରଣନୀତି ଓ ମୂଲ୍ୟବୋଧରେ ପ୍ରମୁଖ ସ୍ଥାନ ଦିଆଯାଇଛି ଏବଂ କମ୍ପାନୀର ଭବିଷ୍ୟତ ଯୋଜନାରେ ଏହା ପ୍ରତିଫଳିତ ହେବ। କାର୍ବନ୍ ମୁକ୍ତ, ପରିବେଶ ଅନୁକୂଳ ଉତ୍ପାଦର ମହତ୍ୱକୁ ଦୃଷ୍ଟିରେ ରଖି ଟିଏସ୍ଏମଏଲ୍ ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, ଜୈବ ବିବିଧତା ସଂରକ୍ଷଣ, ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେଇଆସିଛି। ଏ ଦିଗରେ ଦୀର୍ଘସ୍ଥାୟୀତ୍ୱ ଲକ୍ଷ୍ୟ ହାସଲ ପାଇଁ ଆମେ ବ୍ୟବସ୍ଥିତ ଢଙ୍ଗରେ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛୁ। ଆମେ ଟାଟା ଇଣ୍ଡିକ୍ରୋମ୍ (ଟାଟା ଷ୍ଟିଲ ମାଇନିଂର ଫେରୋକ୍ରୋମ୍ ବ୍ରାଣ୍ଡ) କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓ ଦୀର୍ଘସ୍ଥାୟୀ ଫେରୋକ୍ରୋମ୍ ଉତ୍ପାଦ କରିବାକୁ ଲକ୍ଷ୍ୟ ରଖିଛୁ।
କମ୍ପାନୀ ପକ୍ଷରୁ ୨୦୩୦ ଦୀର୍ଘସ୍ଥାୟୀତ୍ୱ ଲକ୍ଷ୍ୟ ପ୍ରସ୍ତୁତ କରାଯାଇଛି, ଯାହାକୁ ପ୍ଲାନ୍ ଏ ଭାବେ ନାମିତ କରାଯାଇଛି। ଏହା ଅନ୍ତର୍ଗତ ଅକ୍ଷୟ ଶକ୍ତି, ଅଙ୍ଗାରକ୍ଲାମ ନିର୍ଗମନ ପରିମାଣ ହ୍ରାସ, କଠିନ ବର୍ଜ୍ୟବସ୍ତୁ ଓ ଜଳର ବ୍ୟବହାର ହ୍ରାସ, ପୁନଃବ୍ୟବହାର ଓ ପୁନଃଚକ୍ରଣ, ଜମିର ପୁନରୁଦ୍ଧାର ସହିତ ଜୈବ ବିବିଧତାର ସଂରକ୍ଷଣ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଉଛି। ଦୀର୍ଘସ୍ଥାୟିତ୍ୱକୁ ନିଜ ବ୍ୟବସାୟିକ କାର୍ଯ୍ୟପ୍ରଣାଳୀରେ ସାମିଲ କରିବା ପାଇଁ କମ୍ପାନୀ ପକ୍ଷରୁ ଏହାର ସମସ୍ତ ରଣନୀତି ଏବଂ କାର୍ଯ୍ୟାନ୍ୱୟନ ନିଷ୍ପତିରେ ଏହାକୁ ପ୍ରମୁଖ ସ୍ଥାନ ଦିଆଯାଉଛି। ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଅନ୍ତର୍ଜତୀୟ ଖନନ ଓ ଧାତୁ ପରିଷଦ ସିଦ୍ଧାନ୍ତ ଅନ୍ତର୍ଗତ ଏହି ନିଷ୍ପତ୍ତିଗୁଡ଼ିକ ଗ୍ରହଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.