ପୁଅର ଜନ୍ମ କାଗଜପତ୍ର ଓ ଆଧାର କାର୍ଡ ମାଗି ରୋଷର ଶିକାର ହେଲେ ମାଆ

13

  • ଯୌତୁକ ନିର୍ଯ୍ୟାତନା ଓ ଅତ୍ୟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
  • ଭୋଗିବେ ଏକ ବର୍ଷ କାରାଦଣ୍ଡ ଓ ଭରିବେ ୫୦୦୦ଟଙ୍କା ଜୋରିମାନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାମୀଙ୍କୁ ପୁଅର ଜନ୍ମ କାଗଜପତ୍ର , ଆଧାର କାର୍ଡ ତଥା ନିଜର ସୁନାଗହଣା ମାଗିବାକୁ ନେଇ ସୃଷ୍ଟି ହୋଇଥିବା ପାଟିତୁଣ୍ଡରେ ଧର୍ମପତ୍ନୀଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮କ (ଅତ୍ୟାଚାର କରିବା) ତଥା ୩୨୩(ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପ୍ୟାଲେସ ଷ୍ଟ୍ରିଟର ପ୍ରିୟତମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ସଜା ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସୌମ୍ୟ ସୌରଭ ପଟ୍ଟନାୟକ ଉକ୍ତ ମାମଲାକୁ ସଫଳ ଭାବେ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପ୍ୟାଲେସ ଷ୍ଟ୍ରିଟ ସାହିର ଏତଲାକାରିଣୀ ସସ୍ମିତା ବେହେରା ତା ୧୬-୦୩-୨୦୨୧ରିଖ ଦିନ ସକାଳ ଆଠଟା ସମୟରେ ନିଜ ଶାଶୁ ଘରକୁ ଯାଇ ଯେତେବେଳେ ନିଜ ପୁଅର ଜନ୍ମ କାଗଜପତ୍ର , ଆଧାର କାର୍ଡ ତଥା ନିଜର ସୁନାଗହଣା ମାଗିଥିଲେ ସେତେବେଳେ ତାଙ୍କୁ ଶଶୁର ଘର ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଓ ତାଙ୍କ ସ୍ୱାମୀ ତାଙ୍କୁ ତଳେ ପକାଇ ପ୍ରାଣରେ ମାରିଦେବା ଉଦ୍ଦେଶ୍ୟରେ ତାଙ୍କ ମୁହଁକୁ ତକିଆରେ ଚାପି ଦେଇଥିଲେ। ଏହା ଦେଖି ତାଙ୍କ ପୁଅ ତାଙ୍କୁ ଉଦ୍ଧାର କରିବାକୁ ଆସିବାରୁ ସିଏ ରକ୍ଷା ପାଇଥିଲେ ବି ତାଙ୍କ ସ୍ୱାମୀଙ୍କର ରାଗ ଶାନ୍ତ ହୋଇନଥିଲା ଓ ସେ ତାଙ୍କ ତଣ୍ଟିକୁ ପୁଣି ଚିପି ଦେଇଥିଲେ। ପୁନର୍ବାର ତାଙ୍କ ପୁଅ ତାଙ୍କୁ ରକ୍ଷା କରିଥିଲେ। କିନ୍ତୁ ଧସ୍ତାଧସ୍ତି ଯୋଗୁଁ ସେ ଆଘାତ ପ୍ରାପ୍ତ ହୋଇଥିଲେ। ସେହିପରି ଏହି ଘଟଣା ପୂର୍ବରୁ ବିବାହ ସମୟରେ ପୁଅ ଘର ଦାବି ମୁତାବକ ସମସ୍ତ ଯୌତୁକ ଜନିତ ଟଙ୍କା ପଇସା ଓ ସୁନା ଗହଣା ଆଦି ଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଥରକୁ ଥର ଯୌତୁକ ଦାବି କରି ଏତଲାକାରିଣୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇ ତାଙ୍କୁ ଶାଶୁଘରୁ ତଡି ଦେଇଥିଲେ। ସେବେ ଠାରୁ ସେ ନିଜ ବାପଘର ଚନ୍ଦ୍ରଗିରିରେ ନିଜ ପୁଅ ସହ ରହୁଥିଲେ କିନ୍ତୁ ଯେତେବେଳେ ଏହି ପ୍ରମାଣପତ୍ର ତଥା ଆଧାର କାର୍ଡ ମାଗିବାକୁ ଯାଇଥିଲେ ସେତେବେଳେ ଏଭଳି ଅତ୍ୟାଚାରର ଶିକାର ହୋଇଥିଲେ। ଶେଷରେ ନିଜ ଜୀବନ ପ୍ରତି ବିପଦ ଥିବା ଜାଣି ବାଧ୍ୟ ହୋଇ ଏହି ଘଟଣାକୁ ନେଇ ଏତଲାକାରିଣୀ ତା ୧୬-୦୩-୨୦୨୧ ରିଖ ଦିନ ରାତି ୧୦ଟା ସମୟରେ ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୫୯/୨୦୨୧ରେ ଏକ ମାମଲା ରୁଜୁ କରିଥିଲେ ଏବଂ ତତ୍କାଳୀନ ଏସ.ଆଇ. ଅହଲ୍ୟା ମହାରଣା ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଶେଷରେ ୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮କ ଓ ୩୨୩ ଅପରାଧରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଧାରା ୪୯୮କ ରେ ୧ବର୍ଷ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ତଥା ଧାରା ୩୨୩ରେ ୧ବର୍ଷର କାରାଦଣ୍ଡ ସଜା ଶୁଣାଇଛନ୍ତି।

Leave A Reply

Your email address will not be published.