ଉତ୍କଳ ଦିବସ ୨୦୨୨ରେ ଓଡ଼ିଆ ଭାଷାର ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ରାୟଗଡ ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ

0

ରାୟଗଡରୁ ସରୋଜ କୁମାର ସାହୁ: ୧ ଏପ୍ରିଲ ୨୦୨୨ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଆ ଭାଷାର ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଏବଂ ଓଡିଶା ମିଡିଆ ଜର୍ଣ୍ଣଲିଷ୍ଟ ଆସୋସିଏସନ ତରଫରୁ ରାୟଗଡ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ଯେ, ରାୟଗଡ ଜିଲ୍ଲା ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ଅବସ୍ଥିତ । ଏଠାରେ ଓଡ଼ିଆ ଭାଷାଭାଷୀଙ୍କ ଅପେକ୍ଷା ତେଲୁଗୁ ଭାଷାଭାଷୀ ଲୋକ ଅଧିକ ମାତ୍ରାରେ ବସବାସ କରୁଥିବା ବେଳେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ଵ ଦେଉ ନ ଥିବା ପରିଲିଖିତ ହେଉଛି । ଜିଲ୍ଲାରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଦ୍ୟାଳୟ ଗୁଡିକରେ ଓଡ଼ିଆ ଭାଷାର ବ୍ୟବହାର ଯେପରି ହେବା କଥା ତାହା ହେଉନାହିଁ । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଥିବା ବେଳେ ରାୟଗଡା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହାସହ ସରକାରୀ ନଥିପତ୍ର ଅନୁଯାୟୀ ଏହି ଜିଲ୍ଲାର ନାମ “ରାୟଗଡ” ଥିବା ବେଳେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଆପଭ୍ରଂଶ ଭାବେ “ରାୟଗଡା” ଲେଖାଥିବା ଏକ ପରିତପର ବିଷୟ । ଉତ୍କଳ ଦିବସ ଅବସରରେ ରାୟଗଡ ସହରରେ ଥିବା ସାତ ଗୋଟି ପ୍ରେକ୍ଷାଳୟରେ ଓଡ଼ିଆ ଚଳଚ୍ଚିତ୍ର ପ୍ରସାରଣ କରିବା କୁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଓ ଓଡିଶା ମିଡିଆ ଜର୍ଣ୍ଣଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖା ତରଫରୁ ରାୟଗଡ ଉପଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି । ଏହି ଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଦୟାନନ୍ଦ ଖାଡଙ୍ଗା, ସମ୍ପାଦକ ପ୍ରଶାନ୍ତ ପଟନାୟକ, ଉପଦେଷ୍ଟା ସାରଥୀ ପଟ୍ଟନାୟକ, ସଭ୍ୟ ମନୋଜ ସାହୁ , ଶ୍ରୀନିବାସ ବଳିୟାର ସିଂ, ଘାସିରାମ ଜୟସିଂ ଓ ଓଡିଶା ମିଡିଆ ଜର୍ଣ୍ଣଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସଭାପତି ସରୋଜ କୁମାର ସାହୁ ପ୍ରମୂଖ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.