ନୟାଗଡ଼(ବିଶ୍ଵଜିତ ନାୟକ) – ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ଭାବପ୍ରବଣ କରିଦେଇଥିଲା ରଙ୍ଗଶାଳାର ପ୍ରସିଦ୍ଧ ନାଟକ ‘ଶବବାହକ ମାନେ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ରଙ୍କ ରଚିତ, ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶିତ ଏବଂ କୈଳାସ ଚନ୍ଦ୍ର ସେନାପତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ଏହି ସଚେତନଧର୍ମି ସାମାଜିକ ନାଟକଟି ବେଶ ଲୋକାଦୃତି ଲାଭ କରିଥିଲେ । ରଙ୍ଗଶାଳା,ପୁରୀ ନାଟ୍ୟାନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ବିକ୍ରମ କୁମାର ସାହୁ ଯୋଗଦାନ କରିଥିଲେ । ବର୍ତ୍ତମାନ ସମୟ ଏତେ ବଦଳି ଯାଇଛି ଯେ ସାମାଜିକ ପ୍ରଥା କୁପ୍ରଥାରେ ପରିଣତ ହୋଇଛି ଏବଂ କୁପ୍ରଥା ପ୍ରଥାରେ ପରିଣତ ହୋଇଛି । ସାମାନ୍ୟ ସମ୍ପତ୍ତି ଲୋଭରେ ସମସ୍ତେ ନିଜ ନିଜର ସମ୍ପର୍କ,ବନ୍ଧୁତ୍ୱ,ପ୍ରେମକୁ ଜଳାଞ୍ଜଳି ଦେବାକୁ ପଛାନ୍ତି ନାହିଁ । ମିଛମାୟା ସଂସାରରେ ନିଜର ଅସ୍ତିତ୍ୱ କ୍ଷଣସ୍ଥାୟୀ ହୋଇଥିବା ଜାଣି ମଧ୍ୟ ମଣିଷ ଧନସମ୍ପତ୍ତି ଲୋଭରେ ସମସ୍ତ ସମ୍ପର୍କକୁ କିପରି ଭୁଲିଯାଇଥାଏ ତାହକୁ ନିଖୁଣ ଅଭିନୟ ମାଧ୍ୟମରେ ରଙ୍ଗଶାଳାର କଳାକାର ମାନେ ବେଶ ପ୍ରତିପାଦିତ କରିପାରିଥିଲେ । ଓମ୍ ପ୍ରକାଶ,ରାଜ କୁମାର,ଦୟାନନ୍ଦ,ଗୌତମ,ରାଜୀବ,ରମେଶ,ସ୍ୱପ୍ନିଲ ଏବଂ ଶୁଭ୍ରା ସରିତା ପ୍ରମୁଖ କଳାକାର ମାନେ ବେଶ ଉଚ୍ଚକୋଟୀର ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ । ନାଟ୍ୟଧାରା ପରିବାରର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ପରିଚାଳିତ ନାଟକ ଉତ୍ସବର ସପ୍ତମ ଦିବସର ଏହି ନାଟକଟିକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ନାଟକ ମହୋତ୍ସବର ଅନ୍ତିମ ଦିବସରେ ସ୍ଥାନୀୟ ନାଟ୍ୟାନୁଷ୍ଠାନ ଚମତ୍କାର ପକ୍ଷରୁ ନାଟକ ‘ନିଧିବାବୁ ଘରେ ଅଛ?’ ମଞ୍ଚସ୍ଥ ହେବ ବୋଲି ନଟ୍ୟଧାରା ପକ୍ଷରୁ ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post