ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) :- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତରୁ ଚଳିତ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନରେ ସମିତିସଭ୍ୟା ପଦବୀ ପାଇଁ ଭୋଟ ଲଢୁଥିବା ସୁପ୍ରଭା ସାମଲ ସାମ୍ବାଦିକତାରୁ ଗାଁ’ ରାଜନୀତି ପାଇଁ ସାଧାରଣ ଜନତାଙ୍କ ଆହ୍ୱାନ କ୍ରମେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସୁପ୍ରଭାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ସେହି ପଞ୍ଚାୟତର ସରପଞ୍ଚ କଳ୍ପନା ଜେନା । କଳ୍ପନାଙ୍କ ସପକ୍ଷରେ ବାହାରିଥିଲେ ସୁପ୍ରଭାଙ୍କ ଗାଁ’ର ପୂର୍ବତନ ସମିତିସଭ୍ୟ ଲକ୍ଷ୍ମୀଧର ବେହେରା । ଆଶ୍ଚର୍ଯ୍ୟର କଥା ଲକ୍ଷ୍ମୀଧରଙ୍କ ନିଜ ୧୧ ନମ୍ବର ୱାର୍ଡରୁ କଳ୍ପନାଙ୍କୁ ମାତ୍ର ୫ ଖଣ୍ଡ ଭୋଟ ମିଳିଥିବା ବେଳେ ସୁପ୍ରଭାଙ୍କ ସପକ୍ଷରେ ୧୪୯ ଖଣ୍ଡ ଭୋଟ ମିଳିଥିଲା ।
ଏହି ପଞ୍ଚାୟତରୁ ୪ ଜଣ ମହିଳା ସମିତିସଭ୍ୟା ପାଇଁ ନିର୍ବାଚନ ଲଢୁଥିଲେବି ସୁପ୍ରଭା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଳ୍ପନାଙ୍କୁ ୪୮୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । କୁହୁଣ୍ଡା ପଞ୍ଚାୟତରେ ୩୦୫୩ ଜଣ ମତଦାନ ସାବ୍ୟସ୍ତ କରିଥିବା ବେଳେ ୭୨ ଖଣ୍ଡ ଭୋଟ ନାକଚ ହୋଇଯାଇଥିଲା । ସୁପ୍ରଭା ସାମଲଙ୍କୁ ୧୪୨୫, କଳ୍ପନା ଜେନାଙ୍କୁ ୯୩୬, ପ୍ରିତିଛନ୍ଦା କୈବଲ୍ୟ ନାୟକ ୩୬୮ ଏବଂ ମଧୁସ୍ମିତା ପୁହାଣଙ୍କୁ ୨୫୨ ଖଣ୍ଡ ଭୋଟ ମିଳିଥିଲା ।ସୁପ୍ରଭାଙ୍କ ବିରୁଦ୍ଧରେ ତାଙ୍କ ଗାଁ’ କୁହୁଣ୍ଡାରୁ ୨ ଜଣ ପ୍ରାର୍ଥୀ ଥିବାବେଳେ, ବନଗୁରୀଆ ଗାଁ’ରୁ ପୂର୍ବତନ ସରପଞ୍ଚ କଳ୍ପନା ଜେନା ପ୍ରାର୍ଥୀ ହୋଇଥିଲେ । ଗ୍ରାମ ସଭାରେ ଏକଦା ସର୍ବସମ୍ମତି କ୍ରମେ ସରପଞ୍ଚ ଭାବେ ମନୋନୀତ ହୋଇଥିବା କଳ୍ପନାଙ୍କୁ ଚଳିତ ନିର୍ବାଚନରେ ସମିତିସଭ୍ୟା ଭାବେ ଜିତେଇ ପଞ୍ଚାୟତ ସମିତି ଚେୟାରମ୍ୟାନ କରାଇବାକୁ କିଛି ବ୍ୟକ୍ତି ଗୋଟି ଚଳେଇ ଥିଲେବି, ଭୋଟର ଏହାକୁ ପ୍ରତ୍ୟାଖ୍ୟାନ କରିବା ଚର୍ଚ୍ଚା ଯୋର ଧରିଛି । ଯିଏ ସାଧାରଣ ଲୋକଙ୍କ ସହିତ ରହିବ ସେ ନେତା ହୋଇପାରିବ, ଏ ବିଶ୍ୱାସ ଫଳବତୀ ହୋଇପାରିଥିବାରୁ ସାଧାରଣରେ ଆନନ୍ଦ ଖେଳିଯାଇଛି । ସୁପ୍ରଭା କେବଳ ଜଣେ ଉଚ୍ଚ ଶିକ୍ଷିତା ମହିଳା ନୁହଁନ୍ତି, ସେ ଜଣେ ଉଚ୍ଚ କୋଟିର ସାହିତିକା ଓ ସାମ୍ବାଦିକା ଭାବେ ସବୁଠି ବେଶ ପରିଚିତା । ଚଳିତ ଥର ମାହାଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ଜଣେ ଦଳିତ ମହିଳାଙ୍କୁ ଲୋକେ ଦେଖିବେ ବୋଲି ନିଶ୍ଚିନ୍ତ ହୋଇଯାଇଥିବା ବେଳେ ଉପାଧ୍ୟକ୍ଷା ଭାବେ ସାଧାରଣର ବର୍ଗର ପ୍ରତିନିଧିତ୍ୱ ରହିବାର ସଂଭାବନା ରହିଛି । ୩୭ ସଦସ୍ୟ ବିଶିଷ୍ଟ ଏହି ସମିତି ପାଇଁ ଶାସକ ବିଜେଡି ସପକ୍ଷରେ ୨୭ ରୁ ଉର୍ଦ୍ଧ୍ଵ ସମିତିସଭ୍ୟଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଥିବା ବେଳେ ସଂଖ୍ୟାର ଖେଳ ଦୃଷ୍ଟିରୁ ବିରୋଧି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଉଭୟ ପଦବୀ ଅକ୍ତିଆର କରିବା ସ୍ଥିତିରେ ନାହାନ୍ତି । ତେବେ ଗତ ନିର୍ବାଚନରେ ପୂର୍ବ ମାହାଙ୍ଗାରୁ ଶରତ ନାୟକ ଅଧ୍ୟକ୍ଷ ପଦବୀ ହାତେଇ ଥିବାବେଳେ,ବିରୂପା ଗେଙ୍ଗୁଟୀ ଦ୍ବିପାଞ୍ଚଳରୁ ରସିଦା ବେଗମଙ୍କୁ ଉପାଧ୍ୟକ୍ଷା ପଦବୀ ମିଳିଥିଲା । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଉଭୟ ପଦବୀରେ କାହାକୁ ମନୋନୀତ କରାଯିବ ସେ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଦଳୀୟ କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଜାରୀ ରଖିବା କୁହାଯାଉଛି ।
ସାଙ୍ଗଠନିକ ଦକ୍ଷତା ସାଙ୍ଗକୁ ଭୋଟ ପରିଚାଳନାରେ ମାହିର ମନ୍ତ୍ରୀ ଶ୍ରୀ ଜେନାଙ୍କ ସଫଳ ଗୋଟି ଚାଳନା ଆଗରେ ବିରୋଧିଙ୍କୁ ମାଟି କାମୁଡ଼ିବାକୁ ପଡିବା ଚର୍ଚ୍ଚା ଯୋର ଧରିଛି । ତେବେ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀ ପାଇଁ ଯୋଗ୍ୟ ଓ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦାୟୀତ୍ୱ ମିଳିବ ବୋଲି ଆଲୋଚନା ହେଉଛି ।ମାହାଙ୍ଗା ବ୍ଲକ ଅଂଚଳରୁ ୪ ଜଣ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ, ବିରୋଧି ନିଜ ଅସ୍ତିତ୍ୱ ରକ୍ଷା କରିବାରେ ବିଫଳ ହେବା କୁହା ଯାଉଛି । ଲୋକେ ଅହଂକାର ଓ ଅପପ୍ରଚାର ବିରୁଦ୍ଧରେ ଭୋଟ ଦେବାରୁ ବିଜେଡି ସୁବିଧା ଜନକ ସ୍ଥିତିରେ ରହିବା ଆଲୋଚନା ହେଉଛି ।
Sign in
Sign in
Recover your password.
A password will be e-mailed to you.