ଏସଟିପିଆଇର ନାଲକୋ ଓ ଓଡ଼ିଶା ସରକାରଙ୍କ ଡିଏସ୍‍ଟି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

0 2

ଭୁବନେଶ୍ୱର: ଚଳିତ ଫେବୃଆରୀ ମାସ ୨୩ ତାରିଖରେ ଏସଟିପିଆଇ ଭୁବନେଶ୍ୱରକୁ ମହାନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ କୁମାରଙ୍କର ଦୁଇ ଦିନିଆ ଗସ୍ତ ଅବସରରେ ସଫ୍ଟୱେର ଟେକ୍‍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ (ଏସଟିପିଆଇ) ଭୁବନେଶ୍ୱର ଦ୍ୱାରା ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଇଟି ଓ ଟେଲିକମ୍‍ କ୍ଷେତ୍ରରେ ଜଣେ ଖ୍ୟାତିସମ୍ପନ୍ନ ଟେକ୍‍ନୋକ୍ରାଟ ଭାବରେ ପରିଚିତ ଶ୍ରୀ କୁମାର ୨୦୨୧ ଡିସେମ୍ବର ମାସରେ ଏସଟିପିଆଇର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏହା ଏସଟିପିଆଇ ଭୁବନେଶ୍ୱରକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ ଥିଲା ।
ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଏବଂ ଏସଟିପିଆଇ ମଧ୍ୟରେ ଏହି ଅବସରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା ଏବଂ ନାଲକୋ ଜିଜିଏମ୍‍ (ଆରଆଣ୍ଡ୍‍ଡି) ଶ୍ରୀ ସୁବ୍ରତ କର ସେମାନଙ୍କର ସଂସ୍ଥାନ ପକ୍ଷରୁ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏସଟିପିଆଇର ଏକ ଔଦ୍ୟୋଗିକି କେନ୍ଦ୍ର (ସିଓଇ) ଇଲେକଟ୍ରୋପ୍ରିନ୍ୟୋର ପାର୍କ ଭୁବନେଶ୍ୱରରେ ଗଠନ ହେବା ସ୍ତରରେ ରହିଥିବା ଷ୍ଟାର୍ଟଅପ୍‍ ଏବଂ ନବୋନ୍ମେଷକାରୀ ଏବଂ ଶିଳ୍ପ ୪.୦ ଏବଂ ସାଇବର ନିରାପତ୍ତା ଓ ଆଡଭାନ୍‍ସଡ ଆନାଲିଟିକ୍ସ ଭଳି ନବୀନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଯାଉଥିବା ସିଓଇରେ ସୃଷ୍ଟି ହେବାକୁ ଥିବା ଏହିଭଳି ଷ୍ଟାର୍ଟଅପ ଓ ନବୋନ୍ମେଷକାରୀଙ୍କର ପରିପୋଷଣ ନିମନ୍ତେ ଉଭୟ ନାଲକୋ ଏବଂ ଏସଟିପିଆଇ ଭୁବନେଶ୍ୱର ପାରସ୍ପରିକ ସହଯୋଗ ଓ ସମର୍ଥନ କରିବାକୁ ଏହି ବୁଝାମଣାପତ୍ରରେ ଉଲ୍ଲେଖ ରହିଛି । ନାଲକୋ ଉକ୍ତ କମ୍ପାନୀର ଅଭିଜ୍ଞ ବୃତ୍ତିଧାରୀଙ୍କ ଦ୍ୱାରା ମାର୍ଗଦର୍ଶନ କରିବା ସହିତ ଓଆଣ୍ଡ୍‍ଏମ ସମସ୍ୟା ସମ୍ପର୍କିତ ବିଷୟ ବିନିମୟ, ବିକଶିତ କରାଯାଇଥିବା ସମାଧାନଗୁଡିକର ପରୀକ୍ଷଣ ନିମନ୍ତେ କ୍ଷେତ୍ର ଯୋଗାଇବା, ବଛାବଛା ଷ୍ଟାର୍ଟଅପ୍‍କୁ ଆବଶ୍ୟକତା ଅନୁଯାୟୀ ପାଣ୍ଠି ଏବଂ ମୂଳଧନ ସହାୟତା ଯୋଗାଣ ସହିତ ବିକଶିତ କରାଯାଇଥିବା ସମାଧାନଗୁଡିକର ବଜାର ସଂଯୋଗୀକରଣ ଦିଗରେ ସହାୟତା କରିବ ।
ଦ୍ୱିତୀୟ ବୁଝାମଣାପତ୍ର ଏସଟିପିଆଇ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ (ଡିଏସ୍‍ଟି) ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା ଏବଂ ଡିଏସ୍‍ଟିର ଉପ ନିର୍ଦ୍ଦେଶିକା ଶ୍ରୀମତୀ ପୁଷ୍ପଶ୍ରୀ ପୁହାଣ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଜୈବ-ନବସୃଜନ ଅନୁଦାନ ଯୋଜନା ଜରିଆରେ ବାୟୋଟେକ୍‍ ଷ୍ଟାର୍ଟଅପ୍‍ଗୁଡିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏସଟିପିଆଇ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଏକ ମୂଲ୍ୟବାନ ସହଯୋଗୀ ହେବ । ମନୋନୀତ ଷ୍ଟାର୍ଟଅପ୍‍ଗୁଡିକୁ ଏହି ଯୋଜନା ଜରିଆରେ ପାଣ୍ଠି, ତତ୍ତ୍ୱାବଧାନ, ନମୁନା ବିକାଶ ସହାୟତା, ଉତ୍ପାଦ ପ୍ରଚଳନ ଏବଂ ବଜାର ପ୍ରବେଶ ନିମନ୍ତେ ମାର୍ଗଦର୍ଶନ ଆଦି ଯୋଗାଇ ଦିଆଯିବ ।
ଏହି ଅବସରରେ ଏସଟିପିଆଇ ମହାନିର୍ଦ୍ଦେଶକ ଭାରତରୁ ସଫ୍ଟୱେର ଏବଂ ଆଇଟି ସେବା ରପ୍ତାନି କ୍ଷେତ୍ରରେ ଏସ୍‍ଟିପିଆଇର ଅବଦାନ ସମ୍ପର୍କରେ ଉଲ୍ଲେଖ କରିବା ସହିତ ଓଡ଼ିଶାରେ ଏସଟିପିଆଇର ୮ଟି କେନ୍ଦ୍ର ହେବାନେଇ ସନ୍ତୋଷ ପ୍ରକାଶ କରିଥିଲେ, ଯାହା ଯେକୌଣସି ରାଜ୍ୟ ମଧ୍ୟରେ ସର୍ବାଧିକ । ଇଆଣ୍ଡ୍‍ଆଇଟି ବିଭାଗର ଶାସନ ସଚିବ ଶ୍ରୀ ମନୋଜ ମିଶ୍ର କହିଥିଲେ ଯେ ଏସଟିପିଆଇ ଓ ନାଲକୋଏବଂ ଏସଟିପିଆଇ ଓ ଡିଏସ୍‍ଟି ଏହି ବୁଝାମଣାପତ୍ର ସ୍ୱାକ୍ଷର ଜରିଆରେ ଏକାଠି ହେବା ଷ୍ଟାର୍ଟଅପ, ନବସୃଜନକାରୀ ଏବଂ ଇଏସ୍‍ଡିଏମ, ଶିଳ୍ପ ୪.୦ ଓ ଜୈବପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଦ୍ୟୋଗୀଙ୍କ ପାଇଁ ଏକ ବିରାଟ ପ୍ରୋତ୍ସାହନମୂଳକ ପ୍ରୟାସ ହୋଇଛି । ନାଲ୍‍କୋର ଡାଇରେକ୍ଟର (ପିଆଣ୍ଡ୍‍ଟି) ଶ୍ରୀ ମାନସ ପ୍ରସାଦ ମିଶ୍ର ବିବିଧ ବ୍ୟବସାୟ କ୍ଷେତ୍ର ଏବଂ ଅଭିଜ୍ଞତାରୁ ଆସିଥିବା ସଂସ୍ଥାନଗୁଡିକର ସମ୍ମିଳିତ ପ୍ରୟାସ ଦ୍ୱାରା ଷ୍ଟାର୍ଟଅପ୍‍ ସମୁଦାୟ ଏବଂ ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥା କିଭଳି ଉପକୃତ ହେବ, ସେସମ୍ପର୍କରେ ଆଲୋକପାତ କରିଥିଲେ । ଏସ୍‍ଟିପିଆଇ ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା ଭୁବନେଶ୍ୱରରେ ନବୀନ ପ୍ରଯୁକ୍ତିଗୁଡିକ ଉପରେ ସ୍ଥାପନ କରାଯାଉଥିବା ଔଦ୍ୟୋଗିକି କେନ୍ଦ୍ର (ସେଣ୍ଟର ଅଫ ଏଣ୍ଟରପ୍ରିନ୍ୟୋରସିପ୍‍) ସମ୍ପର୍କରେ ପ୍ରକାଶ କରିଥିଲେ ।
ଏହି ଦୁଇ ବୁଝାମଣାପତ୍ର ଏସଟିପିଆଇ ମହାନିର୍ଦ୍ଦେଶକ, ଇଆଣ୍ଡ୍‍ଆଇଟି ବିଭାଗର ଶାସନ ସଚିବ ଏବଂ ନାଲକୋର ଡାଇରେକ୍ଟର (ପ୍ରୋଜେକ୍ଟ ଆଣ୍ଡ ଟେକ୍‍ନିକାଲ)ଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା । ନାଲକୋର ନିର୍ବାହୀ ନିର୍ଦ୍ଦେଶକ (ପିଆଣ୍ଡ୍‍ଟି)ଙ୍କ ସମେତ ତିନି ସହଭାଗୀ ସଂସ୍ଥାର ବହୁ ବରିଷ୍ଠ ପଦାଧିକାରୀ, ଏମଏସଏମଇ ଓ ଷ୍ଟାର୍ଟଅପ୍‍ କ୍ଷେତ୍ରର ଏକାଧିକ ଉଦ୍ୟୋଗୀ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.