ସାତ ଦିନ ପରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

0

ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ମା ଝିଅ ଦର୍ହ ରେ ଖସିପଡ଼ି ନିଖୋଜ ହୋଇଥିଲେ ଯୁବକ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପଞ୍ଚାୟତ ରେ ଥିବା ପର୍ଯ୍ୟଟନ ସ୍ଥଳୀ ମା ଝିଅ ଦର୍ହ ରେ ଖସି ପଡ଼ି ଜଣେ ଯୁବକ ନିଖୋଜ ଥିବା ବେଳେ ସାତ ଦିନ ପରେ ମଧ୍ୟ ଯୁବକ ର କୌଣସି ପତ୍ତା ମିଳିପାରି ନ ଥିଲା। ସୂଚନା ଅନୁଯାୟୀ ଡିମିରିପୋଷି ଗ୍ରାମର ଜିତୁ ଠାକୁର ନାମକ ଜଣେ ଶ୍ରମିକ ଗତ ଶୁକ୍ରବାର ଦିନ ଏକ ଟ୍ରାକ୍ଟର ରେ ନିକଟସ୍ଥ ଗାଁ କୁ ଧାନ ଆଣିବାକୁ ଯାଇଥିଲା।
ଫେରିବା ବାଟରେ ଟ୍ରାକ୍ଟର ଅଟକାଇ ମା ଝିଅ ଦର୍ହ କୁ ଶୌଚ ପାଈଁ ଯାଇ ଆଉ ଫେରି ନ ଥିଲା। ଦୀର୍ଘ ସମୟ ଧରି ଜିତୁ ଟ୍ରାକ୍ଟର ନିକଟକୁ ନ ଫେରିବାରୁ ଟ୍ରାକ୍ଟର ଡ୍ରାଇଭର ଉକ୍ତ ଦର୍ହ ନିକଟକୁ ଖୋଜିବାକୁ ଯାଇଥିଲା। ସେଠାରେ ଥିବା କିଛି ପର୍ଯ୍ୟଟକ ଦର୍ହ ମଧ୍ୟରେ କେହି ଖସି ପଡ଼ିଥିବା କହିବା ପରେ ଟ୍ରାକ୍ଟର ଚାଳକ ଗାଁ କୁ ଆସି ଘଟଣା ସମ୍ପକରେ ପ୍ରକାଶ କରିଥିଲା। ଖବର ପାଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥଲେ ମଧ୍ଯ ଜିତୁ ର କୌଣସି ସନ୍ଧାନ ପାଇ ପାରି ନ ଥିଲେ। ଏ ନେଇ ଜୀତୁ ର ବାପା ଶରତ ଠାକୁର ଦେବଗଡ଼ ଥାନା ରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୋଲିସ ଦମକଳ ବାହୀନି ସହିତ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥଲେ ମଧ୍ଯ ଅକାତକାତ ଗଭୀର ଦର୍ହ ମଧ୍ୟରେ ଜିତୁର କୌଣସି ସନ୍ଧାନ ମିଳି ପାରି ନ ଥିଲା। ମାତ୍ର ସାତ ଦିନ ପରେ କଟକ ଓଡ୍ରାଫ ଟିମ୍ ଏବଂ ତୃତୀୟ ବାଟାଲିୟନ, ବଂପରଡ଼ା. ଦେବଗଡ଼ ଙ୍କ ମିଳିତ ସହଯୋଗରେ ନିଖୋଜ ଯୁବକର ମୃତ ଦେହ ମା ଝିଅ ଦର୍ହ ର ପାଣି ଭିତରୁ ଉଦ୍ଧାର କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମା ଝିଅ ଦର୍ହ ର ଗଭୀରତା ଆଜି ପର୍ଯ୍ୟନ୍ତ ଜଣା ପଡ଼ି ନ ଥିବା ବେଳେ ଦୈବୀ ଶକ୍ତି ରେ ପରିପୂର୍ଣ୍ଣ ଉକ୍ତ ଦର୍ହରେ ଖସି ପଡିଥିବା କୌଣସି ଜିନିଷ ପାତାଳୀ ହେବା କାରଣରୁ ଏଠାକୁ ଆସୁଥିବା ଲୋକେ ସାମାନ୍ୟ ତୃଟି କଲେ ସମ୍ଭାବ୍ୟ ମୃତ୍ୟୁ ର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି। ଏ ନେଇ ଦେବଗଡ଼ ପୋଲିସ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରୀ ରହିଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.