ବାତ୍ୟା ସମୟରେ ମାଆ ଓ ଗର୍ଭସ୍ଥ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ

13

ଖାଣ୍ଡବା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ଭାବ୍ୟ ବାତ୍ୟାକୁ ନେଇ ଚାରିଆଡ଼େ ଆଶଙ୍କା ଓ ଆତଙ୍କର ପରିବେଶ ଦେଖାଦେଇଥିବା ବେଳେ, ଏଭଳି ସଙ୍କଟପୂର୍ଣ୍ଣ ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା କିପରି ସୁନିଶ୍ଚିତ କରାଯାଉଛି, ସେନେଇ ଆଜି ସକାଳେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ।
ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ଯୋଗାଯୋଗ ବ୍ୟବସ୍ଥା ଏବଂ ଯାତାୟାତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ବିଶେଷକରି ଗର୍ଭବତୀ ମହିଳାଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ସମ୍ବେଦନଶୀଳ। ଏଭଳି ପରିସ୍ଥିତିରେ ସମୟୋଚିତ ଚିକିତ୍ସା , ଆବଶ୍ୟକ ଔଷଧ , ନିରାପଦ ପ୍ରସବ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ମାଆ ଓ ଶିଶୁଙ୍କ ଜୀବନ ରକ୍ଷାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ।
ଏହି ପରିପ୍ରେକ୍ଷୀରେ ବିଧାୟକ ଖାଣ୍ଡବା ସ୍ୱାସ୍ଥ୍ୟ କେନ୍ଦ୍ରରେ ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ କିଭଳି ଯତ୍ନ ଓ ଚିକିତ୍ସା ବ୍ୟବସ୍ଥା ରହିଛି, ସେନେଇ ଅନୁଧ୍ୟାନ କରିଥିଲେ। ସଙ୍କଟର ଏହି ଘଡ଼ିରେ ଗର୍ଭବତୀ ମହିଳାଙ୍କୁ ଅବହେଳା ନକରି ସେମାନଙ୍କ ସ୍ୱାସ୍ଥ୍ୟ , ସୁରକ୍ଷା ଓ ଆବଶ୍ୟକତା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ।
ମାଆ ସୁରକ୍ଷିତ ରହିଲେ ଶିଶୁ ସୁରକ୍ଷିତ ରହିବ। ଏହି ମାନବିକ ଦୃଷ୍ଟିକୋଣରୁ ବାତ୍ୟା ମୁକାବିଲା ପ୍ରସ୍ତୁତିରେ ମାତୃତ୍ୱ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଆବଶ୍ୟକ। ପ୍ରକୃତିର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜଣେ ମାଆଙ୍କ ମନରେ ନିଜ ଗର୍ଭସ୍ଥ ଶିଶୁକୁ ନେଇ ଥିବା ଚିନ୍ତା ଓ ଆଶଙ୍କାକୁ ଦୂର କରିବା ସହ ତାଙ୍କୁ ନିରାପଦ ଚିକିତ୍ସା ଯୋଗାଇଦେବା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଗୁରୁଦାୟିତ୍ୱ।
ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସୁରକ୍ଷା ସହ ଗର୍ଭବତୀ ମହିଳା , ନବଜାତ ଶିଶୁ ଓ ଅନ୍ୟ ଅସହାୟ ରୋଗୀଙ୍କ ପାଇଁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବା ଅତ୍ୟନ୍ତ ଆବଶ୍ୟକ। ଏଭଳି ସମୟରେ ଚିକିତ୍ସା ବ୍ୟବସ୍ଥା ପ୍ରତି ସଚେତନ ରହିବା ଏବଂ ଆବଶ୍ୟକ ପଦକ୍ଷେପ ନେବା ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ।
ବିପଦର ଏହି ସମୟରେ ଜନସାଧାରଣଙ୍କ ମନରେ ଭରସା ସୃଷ୍ଟି କରିବା ସହ ମାଆ ଓ ଶିଶୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ହିଁ ଏଭଳି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.