ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁଣୁପୁର ଓ ପାରଳାଖେମୁଣ୍ଡି ଦେଇ ସିଧାସଳଖ କୌଣସି ଯାତ୍ରୀବାହୀ ଟ୍ରେନ୍ ହାଇଦ୍ରାବାଦ ପର୍ଯ୍ୟନ୍ତ ନଥିବାରୁ ଏହି ଅଞ୍ଚଳର ହଜାର ହଜାର ସଂଖ୍ୟକ ଯାତ୍ରୀ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଉପାନ୍ତ ଅଞ୍ଚଳ ଓଡିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହ ସଂଲଗ୍ନ ହୋଇଥିବାରୁ ପଡୋଶୀ ଜିଲ୍ଲା ରାୟଗଡା , ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ନିକଟସ୍ଥ ବିଜୟନଗରମ୍ ଅଞ୍ଚଳର ବହୁ ସଂଖ୍ୟକ ଅଧିବାସୀ ନିଜନିଜର ଗୁଜାରଣ ମେଣ୍ଟାଇବା ପାଇଁ ହାଇଦ୍ରାବାଦ, ବିଜୟୱାଡା , ଗୁଣ୍ଟୁର , ଚେନ୍ନାଇ ଇତ୍ୟାଦି ସ୍ଥାନ ଉପରେ ନିର୍ଭର କରନ୍ତି । ଅଧିକାଂଶ ଆଦିବାସୀ ସଂପ୍ରଦାୟ ଓ ଗରୀବ ଶ୍ରେଣୀର ଜନସାଧାରଣ ପରିବାର ସହ ସେଠାରେ ଶ୍ରମିକ ଭାବେ ଓ ଅନ୍ୟାନ୍ୟ ଧନ୍ଦା କରି ପରିବାରର ଭରଣ ପୋଷଣ କରନ୍ତି।
ଦ୍ଵିତୀୟରେ ଏହି ଅଞ୍ଚଳରେ ବହୁଳ ଭାବରେ ତେଲୁଗୁ ଭାଷାଭାଷୀ ବ୍ୟକ୍ତି ରହିଛନ୍ତି ଏବଂ ସେମାନଙ୍କର ବନ୍ଧୁବର୍ଗ ତଥା ସଂସ୍କୃତି ଇତ୍ୟାଦି ହାଇଦ୍ରାବାଦ ଅଞ୍ଚଳ ସହିତ ଜଡିତ। ଉଚ୍ଚଶିକ୍ଷା ସମାପ୍ତି ପରେ ଶିକ୍ଷିତ ଯୁବ ଗୋଷ୍ଠୀ ହାଇଦ୍ରାବାଦ ଅଞ୍ଚଳରେ ଥିବା ବିଭିନ୍ନ କମ୍ପାନୀ ଗୁଡିକରେ ବିଭିନ୍ନ ପଦପଦବୀ ଗୁଡିକରେ ଚାକିରି କରୁଅଛନ୍ତି । ଏହିସବୁ କାର୍ଯ୍ୟ ହେତୁ ଏହି ୪ଟି ଜିଲ୍ଲାର ଅଧିକାଂଶ ବ୍ୟକ୍ତି ପ୍ରତିଦିନ ହାଇଦ୍ରାବାଦ ଇତ୍ୟାଦି ସ୍ଥାନକୁ ଯାତାୟତ କରନ୍ତି।
ହାଇଦ୍ରାବାଦ ଯିବାକୁ ହେଲେ ଏଠାରୁ ବସ୍ ରେ ୬୦ କି.ମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ପଲାସା ରେଳଷ୍ଟେସନକୁ ଯିବାକୁ ପଡିଥାଏ । ସେଦେଇ ଯାଉଥିବା ଟ୍ରେନ୍ ଗୁଡିକରେ ଅତ୍ୟଧିକ ଭିଡହେତୁ ଯାତ୍ରୀମାନେ ପିଲା , ବୟସ୍କ ବ୍ୟକ୍ତି ଓ ପରିବାର ସହ ଟ୍ରେନ୍ ରେ ଠିଆହୋଇ ପ୍ରାୟ ୨୦ ଘଣ୍ଟା ଯିବାକୁ ପଡିଥାଏ । ଅନ୍ୟପଟେ ଏହାର ସୁଯୋଗ ନେଇ ଟିକେଟ ମାଫିଆ ମାନେ ନିରହ ଆଦିବାସୀମାନଙ୍କ ଠାରୁ ଅତ୍ୟଧିକ ଅର୍ଥ ଆଦାୟ କରି ସଂରକ୍ଷଣ ଟିକେଟ ପ୍ରଦାନ କରିଥାନ୍ତି।
୨୦୧୮ ମସିହାରୁ ବିଭିନ୍ନ ସଂଗଠନ ତରଫରୁ ବାରମ୍ବାର ଦାବୀ ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କର ଏହି ଦୟନୀୟ ଅବସ୍ଥା ପ୍ରତି ଦୃଷ୍ଟି ଦେଉନାହାନ୍ତି । ବର୍ତ୍ତମାନ ନୌପଡା ଠାରୁ ଗୁଣୁପୁର ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗୀକାରଣ କାର୍ଯ୍ୟ ଶେଷହୋଇ ଦୂତଗାମୀ ଟ୍ରେନ୍ ଯାତାୟତ ହେବା ସହ ଏହାର ବେଗ ମଧ୍ୟ ବୃଦ୍ଧି କରାଯାଇଅଛି । ଏହି ୮୦ କି.ମି ରାସ୍ତାମଧ୍ୟରେ ଅନ୍ୟୁନ ଦୁଇଟି ଷ୍ଟେସନ ତଥା କାଶୀନଗର ଓ ଗାଙ୍ଗବୋଡା ଷ୍ଟେସନରେ କ୍ରସିଂବ୍ୟବସ୍ଥା ହେଲେ ଅଧିକାଂଶ ଟ୍ରେନ୍ ଏହି ରାସ୍ତାରେ ଯାତାୟତ ହୋଇପାରିବ।
ଯାତ୍ରୀମାନଙ୍କର ଏହି ସମସ୍ତ ସମସ୍ୟାର ଅବସାନ ନିମନ୍ତେ ତୁରନ୍ତ ଚଳିତ ବଜେଟରେ ଏହାକୁ ଅନୁମୋଦନ କରାଯାଇ , ହାଇଦ୍ରାବାଦରୁ ପାରଳାଖେମୁଣ୍ଡି , ଗୁଣୁପୁର ପର୍ଯ୍ୟନ୍ତ ଏକ ନୂତନ ଦୂତଗାମୀ ଟ୍ରେନ୍ (ବଂଶଧାରା ଏକ୍ସପ୍ରେସ୍) ରୂପେ ଚଳାଚଳ କଲେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଜନସାଧାରଣ ଉପକୃତ ହେବା ସହ ରାଜ୍ୟ ରାଜ୍ୟ ମଧ୍ୟରେ ଭାବ ବିନୀମୟ ଓ ସଂସ୍କୃତିର ଆଦାନପ୍ରଦାନ ହୋଇପାରିବ ବୋଲି ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ପାଢୀ , ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି । ଏହାଦ୍ଵାରା ରେଳ ବିଭାଗର ରାଜସ୍ବ ମଧ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.