ଡ଼ିଆରଏମ ଅନୁପ ଶତପଥୀଙ୍କ ସମେତ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର ଦିନ) ପୂର୍ବତଟ ରେଳପଥ ୱାଲଟିୟର ଡିଭିଜନର ରେଳ ମଣ୍ଡଳ ପ୍ରବନ୍ଧକ(ଡି ଆର୍ ଏମ୍) ଶ୍ରୀ ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅବହେଳିତ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପାରଳାର ବିଭିନ୍ନ ସଂଗଠନ ପକ୍ଷରୁ ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶତପଥୀଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା।
ପାରଳାବାସୀଙ୍କ ବିଭିନ୍ନ ଅଭିଯୋଗ ସମ୍ପର୍କରେ ଅବଗତ ହୋଇ ଡ଼ିଆରଏମ୍ ଶ୍ରୀ ଶତପଥୀ କହିଥିଲେ ଯେ , ୱାଲଟିୟର ରେଳ ଡିଭିଜନ ପକ୍ଷରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ସମେତ ନୌପଡା-ଗୁଣୁପୁର ଭାୟା ପାରଳାଖେମୁଣ୍ଡି ରେଳପଥର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପୂର୍ବରୁ ରେଳବାଇ ବୋର୍ଡକୁ ପ୍ରସ୍ତାବ ଦିଆହୋଇଛି ।
ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଥିବା ରେଳ-ବଜେଟରେ ଏହି ପୂର୍ବ-ପ୍ରସ୍ତାବକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହା ନିଶ୍ଚିତ ଭାବେ ଗ୍ରହଣ ହୋଇ ରେଳ-ବୋର୍ଡ ପକ୍ଷରୁ ମଞ୍ଜୁରପ୍ରାପ୍ତ ହୋଇ କାର୍ଯ୍ୟ ଆରମ୍ଭ ହେବ।
ବର୍ତ୍ତମାନ ଗତ ଦେଢବର୍ଷ ଧରି କୋଭିଡ୍ ମହାମାରୀ ଯୋଗୁଁ ଭାରତ ବର୍ଷରେ ଅନେକ ଟ୍ରେନର ଚଳାଚଳ ବନ୍ଦ ରହିଛି । ଯେଉଁଟା କି କମ୍ ଡିମାଣ୍ଡ ସହ ରାଜସ୍ୱ ଆଦାୟ ମଧ୍ୟ କମ୍ ରହିଛି , ସେହି ଟ୍ରେନ ସବୁ ବନ୍ଦ ରହିଛି । ଏ ଦିଗରେ ପୁଣି ସମୀକ୍ଷା କରାଯାଇ ଅତି ଜରୁରୀ ଓ ଡିମାଣ୍ଡ ଥିବା ଟ୍ରେନକୁ ପୁଣି ଚଳାଚଳ କରାଯିବା ଦିଗରେ ପଦକ୍ଷେପ ନିଆଯିବ କହିଥିଲେ।
ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ରେଳଷ୍ଟେସରେ ଯେଉଁସବୁ ମୌଳିକ ସମସ୍ୟା ଯଥା:- ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି , ପାନୀୟ ଜଳ , ପରିବେଶ, ଡ୍ରେନେଜ ପ୍ରଭୃତି ସମେତ ତୃତୀୟ ଲାଇନ ପ୍ରଭୃତି ସମସ୍ୟା ରହିଛି , ଅତି ନିକଟରେ ସେ ସବୁ ସମସ୍ୟାର ସମାଧାନ କରାଯିବ। ଗୁଣୁପୁର ଠାରୁ ଥେରୁବାଲି ପର୍ଯ୍ୟନ୍ତ ରେଳପଥର ସମ୍ପ୍ରସାରଣ ସମ୍ପର୍କରେ ଡ଼ି ଆର୍ ଏମ୍ ଶ୍ରୀ ଶତପଥୀ ଏହା ବର୍ତ୍ତମାନ ଓଡିଶା ସରକାର ନିର୍ମାଣ କାର୍ଯ୍ୟ ବୋଧହୁଏ ହାତକୁ ନେବାକୁ ଚାହିଁଛନ୍ତି , ଏହା ପ୍ରସ୍ତାବ ରହିଥିବା ସହ ଜମି ଅଧିଗ୍ରହଣ ମଧ୍ୟ ଚାଲିଥିବା କହିଥିଲେ।
ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶ୍ରୀ ଶତପଥୀଙ୍କ ସମେତ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଆଖିଲେଶ କୁମାର ତ୍ରିପାଠୀ ଏବଂ ବରିଷ୍ଠ ମଣ୍ଡଳ ଅପେରେସନାଲ ପ୍ରବନ୍ଧକ ଶ୍ରୀ ଜି: ସୁନୀଲ କୁମାର ପ୍ରମୁଖ ଉଚ୍ଚସ୍ତରୀୟ ବୈଷୟିକ ଅଧିକାରୀ ମାନେ ଗସ୍ତରେ ଆସିଥିଲେ। ରେଳ ମଣ୍ଡଳ ପ୍ରବନ୍ଧକଙ୍କ ଏହି ଗସ୍ତ ଓ ପରିଦର୍ଶନ ସମୟରେ ପାରଳାଖେମୁଣ୍ଡି ରେଳଷ୍ଟେସନରେ ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.