ଜଗତସିଂହପୁର:ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲାର, ରଘୁନାଥପୁର ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଅଢ଼େଇକୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ନିର୍ମାଣକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ୬ଲକ୍ଷ ୭୮,୦୦୦ ଟଙ୍କା ବ୍ୟୟ ବରାଦରେ ତତ୍କାଳୀନ ସମୟର ପରିଚାଳନା କମିଟି ସଭାପତି କ୍ଷୀରୋଦ ଚନ୍ଦ୍ର ନାୟକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କ୍ଷୀରୋଦ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ପ୍ରାୟ ୭୫/୮୦ରୁ ପ୍ରତିଶତ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିଥିବାବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ଅଢ଼େଇକୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନ କରାଯାଇଥିଲା। ନୂତନ ଭାବେ ନିର୍ବାଚିତ ସଭାପତି ଅଜିତ ସାହୁ ମନୋନୀତ ହୋଇଥିଲେ। ତାହା ପରେ ନୂତନ ପରିଚାଳନା କମିଟି ସଭାପତି ଅଜିତ ସାହୁ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ସୁପାରିଶ କରିବାରୁ ଦ୍ୱନ୍ଦ୍ୱ ଉପୁଜିଥିଲା। ପୂର୍ବରୁ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ କରିଥିବା କ୍ଷୀରୋଦ ଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ କି ନିର୍ମାଣକାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ କିମ୍ବା ଉପଯୋଗୀତା ପ୍ରମାଣପତ୍ର ଆଧାରରେ କ୍ଷୀରୋଦଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ। ଅପରପକ୍ଷରେ ଅଧିକାଂଶ ଗୃହ ନିର୍ମାଣ ସାମଗ୍ରୀ ଯଥା ବାଲି, ଗୋଡି, ଗ୍ରିଲ, ଟାଇଲ, ସିମେଣ୍ଟ ଆଦି ବିଦ୍ୟାଳୟ ଘରେ ଗଛିତ ରହିଥିବାବେଳେ ବିଭାଗୀୟ ଅଧିକାରୀ କେଉଁ ନିତି ନିୟମ ବଳରେ ବେନିୟମ ଭାବେ ନୂତନ ପରିଚାଳନା କମିଟି ସଭାପତି ଅଜିତଙ୍କୁ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ବାବଦରେ ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ପଚାରିବାରେ ଏଭଳି କୌଣସି ଗାଇଡ଼ ଲାଇନ ବିଭାଗ ପକ୍ଷରୁ ଜାରି ହୋଇ ନ ଥିବା ପ୍ରକାଶ କରିଥିବାବେଳେ, ଜିଲ୍ଲା ଶିକ୍ଷାଧିକାରୀ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି କହି ଘଟଣାକୁ ହାଲକା ଭାବେ ଗ୍ରହଣ କରି ଏଡ଼ାଇ ଯାଇଛନ୍ତି। ଏବଂ ଏହା ଉଭୟଙ୍କ ଆପୋଷ ବୁଝାମଣା ରେ ସମାଧାନ ହୋଇ ପାରିବ ବୋଲି ପ୍ରକାଶ କରିଛନ୍ତି। ଏପରିକି ଜିଲ୍ଲା ଶିକ୍ଷାଧିକାରୀ କ୍ୟାମେରା ସମ୍ମୁଖରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ମଧ୍ୟ କୁଣ୍ଠାବୋଧ କରିଛନ୍ତି। ଏଭଳି ସ୍ଥିତିରେ କାହାକୁ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା। ତେଣୁ ଏହି ଘଟଣା ଉପରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.