ବାଲେଶ୍ୱର(ସୁଶାନ୍ତ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଆଜି ବାଲେଶ୍ୱର ଜିଲା ସଂସ୍କୃତି ଭବନ ପରିସରରେ ନବନିର୍ମିତ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀକୁ ଉଦଘାଟନ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ନିର୍ମିତ ଭୁବନେଶ୍ୱରର କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ଗଞ୍ଜାମ, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟଠାରେ ନିର୍ମିତ ୫ଟି ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀକୁ ଏକକାଳୀନ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଆୟୋଜିତ ଏହି ଭର୍ଚୁଆଲକାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଲଳିତ କଳା ଏକାଡେମୀ ସଭାପତି ସୁଦର୍ଶନ ପଟ୍ଟନାୟକ, ଉନ୍ନୟନ କମିଶନର ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଏଡ଼ିଏମ ନୀଲୁ ମହାପାତ୍ର, ପିଡି ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ଲଳିତ କଳା ଏକାଡେମୀ କାର୍ଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବାଲେଶ୍ୱରର ଏହି ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ସ୍ଥାନୀତ ବିଭିନ୍ନ ଚିତ୍ରଶିଳ୍ପୀଙ୍କ ଚିତ୍ରକଳାକୁ ଅତିଥିମାନେ ବୁଲି ଦେଖିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.