ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

7

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର କଇଠଡା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ ।
ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ କୁମାରୀ ନାୟକ ଜାଣିବାକୁ ପାଇଥିଲେ। ଶ୍ରୀମତୀ ନାୟକ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।
ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥଲା। ଉକ୍ତ ଟିମ୍ ରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ , ICDS ସୁପରଭାଇଜର ଶ୍ରୀମତୀ ନାଗୁ ରତ୍ନମ୍ , ଗୁରାଣ୍ଡି ଥାନାଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପରିବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟପ୍ରକାଶ ବାଡ଼ତ୍ୟା , ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ , ଇନ୍ଫୋଆ ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଏବଂ ଚାଇଡ୍ ଲାଇନ୍ ର ସଦସ୍ୟା ସୁଶ୍ରୀ ବି.ସୌଜନ୍ୟା ପ୍ରଭୃତି ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ।
ଏହା ପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁ-ପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା । ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବୁ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବୁ ତେବେ ଆଇନ ଅନୁଯାୟୀ ଦଣ୍ଡ ପାଇବୁ ବୋଲି ଲିଖିତ ଆକାରରେ ଜଣାଇଛନ୍ତି।
ଟାସ୍କଫୋର୍ସ ଦ୍ୱାରା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ ଦ୍ଵାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.