ବାଲେଶ୍ୱର ଜିଲ୍ଲାରେ ବିଜୁ ଜନତା ଦଳ ସ୍ଥିତି ମଜବୁତ ଅଛି : ଅତନୁ 

0

ବିଜେଡିର ପ୍ରାକ୍ ନିର୍ବାଚନ ପ୍ରସ୍ତୁତି, ମତଭେଦକୁ ଭୁଲି ଏକ ମନ ହୋଇ କାକ କରିବାକୁ ଆହ୍ୱାନ ଦେଲେ ରବୀନ୍ଦ୍ର 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ରଣାଙ୍ଗନ ପାଇଁ ପ୍ରମୁଖ ରାଜନୈକିତ ଦଳମାନଙ୍କ ପକ୍ଷରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଜିଲ୍ଲା ଶାଖା ପକ୍ଷରୁ ଏକ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବୈଠକ ନୋସି ବିଜନେସ ପାର୍କଠାରେ ଆଜି ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଅଧ୍ୟକ୍ଷତା କରିବା ସହିତ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ ସୁଦୃଢ ଉପରେ ଗୁରୁତ୍ୱାରୋପ କରିଥିଲେ । ଏନେଇ ପ୍ରତ୍ୟେକ ୱାର୍ଡରେ ଦଳୀୟ କମିଟି ଗଠନ ଏବଂ ସମ୍ପୃକ୍ତ କ୍ଷେତ୍ର ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ନିମନ୍ତେ ସେ ପରାମର୍ଶ ଦେଇଥିଲେ । ସେହିପରି ପୌରାଞ୍ଚଳ ଏବଂ ଏନଏସିରେ ମଧ୍ୟ ୱାର୍ଡସ୍ତରୀୟ  କମିଟି ଗଠନ ଉପରେ ଶ୍ରୀ ଜେନା ଯୋର ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଡୋର କ୍ୟାମ୍ପେନିଂ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ସେ ଆହ୍ୱାନ ଦେଇଥିଲେ । ଦଳ ଭିତରେ ଥିବା ସମସ୍ତ ମତଭେଦକୁ ଭୁଲି ଏକ ମନ ଏକ ପ୍ରାଣରେ ନିର୍ବାଚନୀ ସଫଳତା ପ୍ରତ୍ୟେକ କର୍ମୀ ପ୍ରସ୍ତୁତ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଥିରେ ଯୋଗଦେଇ ଆଗାମୀ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଗତ ସାଧାରଣ ନିର୍ବାଚନ, ପଂଚାୟତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ଉପ ନିର୍ବାଚନର ଫଳାଫଳ ହିସାବରେ ବାଲେଶ୍ୱର ଜିଲ୍ଲାରେ ଦଳୀୟ ସ୍ଥିତି ମଜବୁତ ଥିବା ସେ ପ୍ରକାଶ କରିଥିଲେ । ଏହା ସତ୍ତ୍ୱେ  ସଠିକ ରଣକୌଶଳ ଏବଂ ଉପଯୁକ୍ତ ସଂଗଠନ ପରିଚାଳନାକୁ ଗୁରୁତ୍ୱ ଦେଇ ପୁନର୍ବାର ଆଶାତୀତ ସଫଳତା ପାଇଁ ଉଦ୍ୟମ କରିବାକୁ ସେ କହିଥିଲେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଏଥିରେ ଯୋଗଦେଇ ଜିଲ୍ଲାସ୍ତରୀୟ ଦଳୀୟ କର୍ମକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସୋର ବିଧାୟକ ପର୍ଶୁରାମ ଧଡା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବାଲେଶ୍ୱର ପୌରପାଳ ଆଲୋକ କୁମାର ସାହୁ, ସଦର ବ୍ଲକ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଜୁ ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳ, ସଂଖ୍ୟା ଲଘୁ ସେଲ, ଏସସି ଏସଟି ସେଲ, ବିଜୁ ଶ୍ରମିକ ସାମୁଖ୍ୟ, ବିଜୁ ଛାତ୍ର ଜନତା ଦଳ ପ୍ରଭୃତି ସଂଗଠନର ଜିଲ୍ଲାସ୍ତରୀୟ କର୍ମକର୍ତା ଯୋଗଦେଇ ଥିଲେ । 

 

 

Leave A Reply

Your email address will not be published.