ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଥିବା ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବାରୀ ଓ’ଫାରେଲ୍ ଏଓଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଶୁକ୍ରବାର କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ କିଟ୍ର ସମସ୍ତ କ୍ୟାମ୍ପସ ବୁଲି ଦେଖିବା ସହ କିସ୍ର ସମସ୍ତ ୟୁନିଟ୍ ପରିଦର୍ଶନ କରିଥିଲେ। ପରେ କିଟ୍ ଓ କିସ୍ ଏବଂ ଅଷ୍ଟ୍ରେଲିଆର ଉଚ୍ଚତର ଓ ବୈଷୟିକ ଶିକ୍ଷାନୁଷ୍ଠାନ ସହ ଉଚ୍ଚଶିକ୍ଷା, ଗବେଷଣା ଓ ଅଧ୍ୟାପକ, ଛାତ୍ର ବିନିମୟ କାର୍ଯ୍ୟକ୍ରମ ନେଇ ଅଷ୍ଟ୍ରେଲିଆ ପ୍ରତିନିଧିମଣ୍ଡଳ ଓ କିଟ୍-କିସ୍ର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷା, ଗବେଷଣା, ନିଯୁକ୍ତି, ଦକ୍ଷତା ବିକାଶ କ୍ଷେତ୍ରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ଉଚ୍ଚତର ଓ ବୈଷୟିକ ଶିକ୍ଷାନୁଷ୍ଠାନ ସହ କିଟ୍ ଓ କିସ୍ କିପରି ମିଳିତ ଭାବେ କାର୍ଯ୍ୟ କରିବେ ସେ ଦିଗରେ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ କହିଥିଲେ। ବିଶେଷ କରି କିସରେ ଜନଜାତି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଏବଂ ଜନଜାତି ଗବେଷଣା କ୍ଷେତ୍ରରେ ଅଷ୍ଟ୍ରେଲିଆ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରତିନିଧିମଣ୍ଡଳରେ ଶିକ୍ଷା ଓ ଗବେଷଣା ବିଭାଗ ମିନିଷ୍ଟର-କାଉନ୍ସିଲର ମାଥ୍ୟୁ ଜନ୍ଷ୍ଟନ, କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କାଉନସେଲ ଜେନେରାଲ୍ ଡାନିଏଲ୍ ସିମ, ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ଶିକ୍ଷା ବିଭାଗର ବରିଷ୍ଠ ପରାମର୍ଶଦାତା ସାଜିଆ ନାକ୍ଭି ପ୍ରମୁଖ ଉପସ୍ଥିତ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିସ୍ ମହାନିର୍ଦ୍ଦେଶକ ଡ. କାହ୍ନୁଚରଣ ମାହାଲି, କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.