ଭୁବନେଶ୍ୱର/ ଭବାନୀପାଟଣା (ଶାସକ ପ୍ରଶାସକ) : ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ସୋମବାର ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଏନସିସି କ୍ୟାଡେଟ୍ ଶ୍ରୀ ଦାସନାୟକଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। କୁଳସଚିବ ଶ୍ରୀ ପୀତାମ୍ବର ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ କହିଥିଲେ,‘‘ପୁରାତନ ଛାତ୍ରଛାତ୍ରମୀନେ ନିଜ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ି ହେବା ଦରକାର। ନିଜ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ଯୋଗଦାନ ଆବଶ୍ୟକ। ତେଣୁ ସେମାନେ ବିଭିନ୍ନ ଉପାୟରେ ନିଜ ଶିକ୍ଷାନୁଷ୍ଠାନକୁ ସହଯୋଗର ହାତ ବଢ଼ାଇପାରିବେ। ସେହିପରି ୟୁଜି, ପିଜି ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷାନୁଷ୍ଠାନରେ ଥିବା ପୁରାତନ ଛାତ୍ର ସଂଘରେ ସାମିଲ ହୁଅନ୍ତୁ। ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବିଭାଗରେ ଏକ ପୁରାତନ ଛାତ୍ର ସଂଘ ରହିବା ଦରକାର।’’
ସେ ଆହୁରି ମଧ୍ୟ କହିଥିଲେ, ‘‘ଛାତ୍ରଛାତ୍ରୀମାନଙ୍କ ମତ ଓ ଚିନ୍ତାଧାରା ଅଭିଭାବକ, ଶିକ୍ଷକ ଏବଂ ସାମାଜିକ, ସାଂସ୍କୃତିକ କାରଣରୁ ପ୍ରଭାବିତ ହୋଇଥାଏ। ଏହି କ୍ରମରେ ମୋ କଲେଜ ଅଭିଯାନ ତତ୍ତ୍ୱାବଧାନରେ ଏହି ବିଶ୍ୱବିଦ୍ୟାଳୟ ବିଶ୍ୱ ଶିକ୍ଷା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ନେବ।’’
ସେହିପରି କୁଳପତି ସଞ୍ଜୟ କୁମାର ଶତପଥୀ କହିଥିଲେ,‘‘ ମୋ କଲେଜ ଅଭିଯାନ ଭଳି ଏକ ଅଭିନବ ପରିକଳ୍ପନା ଯୋଗୁଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନିଶ୍ଚୟ ବିକାଶ ହେବ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଏକ ନୂଆ ଉଚ୍ଚତାକୁ ଛୁଇଁବ।’’
ଏହି ଅବସରରେ ପୁରାତନ ଛାତ୍ର ସଂଘର ସଦସ୍ୟ ସୁରଜିତ୍ ସିଂହ ଶ୍ରୀ ଦାସନାୟକଙ୍କ ହାତରେ ୧ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ସେହିପରି ପୁରାତନ ଛାତ୍ର ସଂଘର ସମ୍ପାଦକ ଭବାନୀ ଶଙ୍କର ନିୟାଲ ମୋ କଲେଜ ଅଭିଜାନ ଅଧୀନରେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ।
ଶ୍ରୀ ଦାସନାୟକ ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ। ଶେଷରେ ମୋ କଲେଜ ଅଭିଯାନର ସଂଯୋଜକ ପ୍ରଫେସର ଜୟଦେବ ସାହୁ ଶେଷରେ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.