ଜାତୀୟ ଦାନ୍ତ ଘଷା ଦିବସରେ ଶିଖାଗଲା ଉପଯୁକ୍ତ ଭାବେ ଦାନ୍ତ ଘଷିବାର ଶୈଳୀ

0

ଭୁବନେଶ୍ୱର : ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମ ପଦକ୍ଷେପ । ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍ ଭାବରେ କିଭଳି ଦାନ୍ତ ଘଷାଯାଏ ତାହା ସେମାନଙ୍କୁ ଜଣାନଥାଏ ବୋଲି ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଜାତୀୟ ଦାନ୍ତ ଘଷା ଦିବସ ଅବସରରେ ଦନ୍ତ ବିଜ୍ଞାନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଜଣେ ବ୍ୟକ୍ତି ନିଜର ଟୁଥବ୍ରସକୁ ମାଢ଼ି ଉପରେ ୪୫ ଡିଗ୍ରୀରେ ରଖିବା ସହ ଧୀରେ ଧୀରେ ଉପର ତଳ କରି ଘଷିଲେ ଏହାର ପ୍ରଭାବ ଠିକ୍ ଭାବରେ ପଡ଼ିଥାଏ ବୋଲି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ର ବିଶେଷଜ୍ଞମାନେ କହିଛନ୍ତି । ଜାତୀୟ ଦାନ୍ତଘଷା ଦିବସ ପାଳନ ଅବସରରେ ଆଇଡିଏସର ଏହି ବିଭାଗରେ ଚିକିତ୍ସା ନିମନ୍ତେ ଆସିଥିବା ପ୍ରାୟ ୩୦୦ ରୋଗୀଙ୍କୁ ଏହା ବୁଝାଇଛନ୍ତି ବିଶେଷଜ୍ଞମାନେ । ଏହି କାର୍ଯ୍ୟକ୍ରମରେ ପବ୍ଲିକ୍ ହେଲ୍ଥ ଡେଂଟିଷ୍ଟି୍ର ବିଭାଗର ବିଶେଷଜ୍ଞମାନେ ରୋଗୀମାନଙ୍କୁ ଉପଦେଶ ଦେବା ସହ ଚିକିତ୍ସା କରିଥିଲେ ।
ବିଶେଷଜ୍ଞମାନେ କହିଛନ୍ତି ଯଦିଓ ମାର୍କେଟରେ ବିଭିନ୍ନ ପ୍ରକାର ଟୁଥପେଷ୍ଟ ଉପଲବ୍ଧ, ପ୍ରତ୍ୟେକ ବ୍ୟକ୍ତି ଦନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ଟୁଥପେଷ୍ଟ ବ୍ୟବହାର କରିବା ଉଚିତ୍ । ତେବେ ଆରମ୍ଭରେ ଫ୍ଲୋରାଇଡ୍ ଟୁଥପେଷ୍ଟ ସହ ନରମ ଟୁଥବ୍ରସ୍ ବ୍ୟବହାର କରିବା ଉଚିତ୍ ବୋଲି ସେମାନେ କହିଛନ୍ତି ।
ମୁଖକୁ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇ ଥର ଦୁଇ ମିନିଟ୍ ଲେଖାଏଁ ଓ ମାଢ଼ିର ପ୍ରତ୍ୟେକ ଅଂଶରେ ୩୦ ସେକେଣ୍ଡ ଲେଖାଏଁ ଦାନ୍ତ ଘଷିବା ସହ ଠିକ୍ ଭାବେ ଦାନ୍ତ ଘଷିବା ଶୈଳୀ ପ୍ରୟୋଗ କରିବା ଉଚିତ୍ । ସାଧାରଣ ଟୁଥ୍ ବ୍ରସ ବହୁଳ ଭାବେ ବ୍ୟବହାର କରାଯାଏ କିନ୍ତୁ ପାୱାର୍ଡ ଟୁଥବ୍ରସ୍ ଗୁଡ଼ିକ ଖୁବ୍ ବ୍ୟୟବହୁଳ ଓ ବିଭିନ୍ନ ମୂଲ୍ୟରେ ଉପଲବ୍ଧ ।
ଆଇଡିଏସର ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି ଯେ ଆଇଡିଏସ୍ କକ୍ରେନର ସହବନ୍ଧିତ ଭାବେ ଉପଦେଶ ଦିଏ ଯେ ଟୁଥ୍ ବ୍ରସ ଚୟନ କରିବା ଠାରୁ ଅଧିକ ଜରୁରୀ ହେଉଛି ଉପଯୁକ୍ତ ଭାବେ ଦାନ୍ତ ଘଷିବାର ଶୈଳୀ ଆପଣାଇବା । ଏହା କକ୍ରେନ୍ ଦ୍ୱାରା ସଂଗୃହୀତ ଗବେଷଣା ତଥ୍ୟ ।
ପ୍ରଫେସର ମହାନ୍ତି କହିଛନ୍ତି ଯେ କକ୍ରେନ୍ ସହବନ୍ଧିତ ଆଇଡିଏସ୍ ସାଧାରଣ ଲୋକଙ୍କ ମୁଖର ସୁସ୍ଥତା ନିମନ୍ତେ ତଥ୍ୟଭିତିକ ସୂଚନା ଉପରେ ବିଶ୍ୱାସ ରଖେ ।
ଏହି ଅବସରରେ ଉପଯୁକ୍ତ ଭାବରେ ଦାନ୍ତ ଘଷିବାର ଶୈଳୀ, ଦାନ୍ତ ଘଷିବାର ସମୟ, ଟୁଥ୍ ବ୍ରସ ବଦଳାଇବାର ଉପଯୁକ୍ତ ସମୟ ଏବଂ କୋଭିଡ୍ ମହାମାରୀ ସମୟରେ ମୁଖ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ରୋଗୀମାନଙ୍କୁ ବୁଝାଯାଇଥିଲା ।

Leave A Reply

Your email address will not be published.