ଜେନିଥ ଲାୟନ୍ସ ଗୁରୁକୁଳ ଦ୍ବାରା ସର୍ବଭାରତୀୟ ନିଟ କୃତୀଛାତ୍ର ସମ୍ବର୍ଦ୍ଧିତ ।

0

ପଦ୍ମପୁର(ଶାସକ ପ୍ରଶାସକ)- ସ୍ଥାନୀୟ ଜେନିଥ ଲାୟନ୍ସ ଗୁରୁକୁଳରେ ସର୍ବଭାରତୀୟ ନିଟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶମ୍ଭୁ ପ୍ରସାଦ ଶାହା ଏବଂ ସ୍ବାଗତ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ପ୍ରତାପ କୁମାର ମିଶ୍ର ଓ ମ. ଜାଭେଦ ଉପସ୍ଥିତ ରହି ଛାତ୍ର ମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଉଚ୍ଚାକାଂକ୍ଷୀ ରହି ବିଦ୍ୟାଳୟର ଗୌରବ ବଢାଇବା ସଙ୍ଗେ ସଙ୍ଗେ ଜାତୀୟ ସ୍ତରରେ ନାମ ଉଜ୍ଜଳ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମୂଳଦୁଆ ସ୍ଥାପନ ସହ ତାଙ୍କର ଉଜ୍ଜଳ ଭବିଷ୍ୟତ ନିର୍ମାଣରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବଦାନ ଅତୁଳନୀୟ ଯାହାକି ଛାତ୍ରଛାତ୍ରୀଙ୍କ ଅଜାଣତରେ ବିଦ୍ୟାଳୟରେ ସ୍ଥାପିତ ହୋଇଥାଏ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେ ଛାତ୍ରଙ୍କ ଆତ୍ମଅବଲୋକନ, ଆତ୍ମସମୀକ୍ଷା, ଆତ୍ମବିଶ୍ଳେଷଣ ର ଭୂମିକା ଉପରେ ଆଲୋକପାତ କରିଥିଲେ ।

ଇଂରାଜୀ ଶିକ୍ଷକ ଶ୍ରୀ ସନ୍ତୋଷ ବେହେରା ଶମ୍ଭୁ ପ୍ରସାଦ ସାହା ଓ ସ୍ବାଗତ ପ୍ରଧାନ କିଭଳି ଛାତ୍ର ଥିଲେ ଏବଂ ସେମାନେ କିପରି ସର୍ବଭାରତୀୟ ପରୀକ୍ଷା ନିଟ ପାଇଁ ନବମ ଶ୍ରେଣୀରୁ ଉଦ୍ୟମ ଜାରୀ ରଖିଥିଲେ ତାହା ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ଏହି ଛାତ୍ର ଦ୍ବୟଙ୍କ ପାଇଁ ଏଭଳି ପରୀକ୍ଷା ସରସ, ସରଳ ଓ ସାବଳୀଳ। ତୁଲସୀ ଦୁଇ ପତ୍ରରୁ ବାସିଲା ପରି ଏମାନଙ୍କ କୃତିତ୍ବ ବିଦ୍ୟାଳୟରେ ହିଁ ଜଣା ପଡିଥିଲା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ନିଶ୍ଚିତ ଥିଲେ ଯେ ସେମାନେ ନିଶ୍ଚିତ ଭାବରେ ନିଟରେ କୃତକାର୍ଯ୍ୟ ହେବେ । କୃତୀଛାତ୍ର ଶମ୍ଭୁ ପ୍ରସାଦ ନିଜ ଅଭିଭାଷଣରେ ଉପସ୍ଥିତ କନିଷ୍ଠ ଛାତ୍ର ଛାତ୍ରୀ ମନକୁ ତାଙ୍କ ଛାତ୍ର ଜୀବନରେ ଜେନିଥ ଲାୟନ୍ସ ସ୍କୁଲର ଅବଦାନ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ତ୍ୟାଗ, ସେମାନଙ୍କ ପ୍ରଚଣ୍ଡ ପ୍ରତିଭା ଉପରେ ଆଲୋକପାତ କରିଥିଲେ ଏବଂ ଏହି ବିଦ୍ୟାଳୟର ପ୍ରତ୍ୟେକ ଛାତ୍ର ଛାତ୍ରୀ ଯଦି ପ୍ରୟାସ କରିବେ ତାହେଲେ ନିଟ ପରୀକ୍ଷା ଏକ ସାଧାରଣ ବ୍ୟାପାର ବୋଲି କହିଥିଲେ ।

ଅନ୍ୟତମ ଛାତ୍ର ସ୍ବାଗତ ପ୍ରଧାନ ଛାତ୍ର ମାନଙ୍କୁ କହିଥିଲେ ” ଯଦି ଶିକ୍ଷକଙ୍କ ଉପଦେଶ ମାନି ଚଳିବ ଏବଂ ଶିକ୍ଷକଙ୍କ ଆଶୀର୍ବାଦ ତୁମ ତାହେଲେ ସଫଳତା ତୁମକୁ ଆହ୍ଵାନ କରିବ ” । ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଜେନିଥ ଲାୟନ୍ସ ଗୁରୁକୁଳର ତାଙ୍କ ଜୀବନରେ ଅବଦାନ ଓ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବାରେ ବିଦ୍ୟାଳୟର ଅବଦାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆନନ୍ଦ ସାହୁ, ବିମଲ କୁମାର ସାହୁ, ନୀଳମାଧବ ପଧାନ, କେଶବ ଚନ୍ଦ୍ର ମେହେର, ରୁକ୍ମିଣୀ ମିଶ୍ର, ସରିତା ଦୋରା, ରାକ୍ଷୀ ଦେବତା, ସ୍ମୃତିରଞ୍ଜନ ରାଉତ ରୟ, ମଦନ ମୋହନ ସାହୁ ଓ ଅଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.