ଭୁବନେଶ୍ୱର(ଶାସକ ପ୍ରଶାସକ): ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ବୋଲି ଆଜି ପୂର୍ବାହ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ଗରିବରୁ ଅତି ଗରିବ ମହିଳାମାନଙ୍କୁ ଆଜିର ସମାଜରେ ସଠିକ୍ ରୋଜଗାର ସହ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିପାରୁ ନାହିଁ । ବଡ଼ ବଡ଼ ଶିଳ୍ପାନୁଷ୍ଠାନମାନଙ୍କରେ ଲାଭ ତ ରହିବ କିନ୍ତୁ ରାଜ୍ୟ ଖଦି ଭବନରେ ଏଯାବତ କାର୍ଯ୍ୟଶୈଳୀ ଅନ୍ତର୍ଗତ ଯେଉଁ ମା’ଭଉଣୀମାନେ ନିଜ ହାତରେ ସୂତା କାଟି ଲୁଗା ବୁଣୁଛନ୍ତି, ସେମାନଙ୍କୁ ଯଥୋଚିତ ସମ୍ମାନ ମିଳି ନାହିଁ ବୋଲି ଆଜି ଭରଚୁଆଲରେ ଅନୁଷ୍ଠିତ ଏମ୍ଏସ୍ଏମ୍ଇ ବୈଠକରେ ମାନ୍ୟବର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ରଖୀଥିଲେ । ଖଦି ଭବନ ମହିଳାଙ୍କୁ ସ୍ୱାବଲମ୍ବୀ, ସ୍ୱାଭିମାନ ଓ ଆତ୍ମସମ୍ମାନ କ୍ଷେତ୍ରରେ କାର୍ଯ୍ୟ କରୁ ଏବଂ ଏହା ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେଉ । ପ୍ରସ୍ତାବିତ ଖଦି ଭବନ ରାଜ୍ୟର ଏକ ପ୍ରମୁଖ ଗ୍ରାମୀଣ କଳାକୌଶଳର ପେଣ୍ଠ ସ୍ଥଳ ଭାବରେ ପରିଗଣିତ ହେଉ । ବିଶେଷଭାବରେ ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୁଟୀରଶିଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକୌଶଳ ତାଲିମ୍ ପ୍ରଦାନ ନିମନ୍ତେ ଏଠାରେ ବ୍ୟବସ୍ଥା ଉପଲବ୍ଧ ହେବା ସହ ଏହାକୁ ଏକ ଅନନ୍ୟ କେନ୍ଦ୍ର ଭାବରେ ଗଢ଼ି ତୋଳିବାକୁ ସେ ପରାମର୍ଶ ଦେଇଥିଲେ । ଏହାର ନିର୍ମାଣ କାର୍ଯ୍ୟକୁ ନିର୍ଧାରିତ ସମୟ ମଧ୍ୟରେଶେଷ କରିବା ପାଇଁ ସେ କହିଥିଲେ । ଏଥିସହିତ ଖଦି ଭବନ ମହାତ୍ମା ଗାନ୍ଧୀ ଦେଖାଇଥିବା “କୁଟି ଖାଅ, କାଟି ପିନ୍ଧ’ ନୀତିକୁ ସମାଜରେ ପ୍ରତିଫଳିତ କରୁ ବୋଲି ବୈଠକରେ ମନ୍ତ୍ରୀ କହିଥିଲେ । ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଗାନ୍ଧୀ ପ୍ରଦର୍ଶିତ ନୀତି ଆଦର୍ଶରେ ବିଶ୍ୱାସ କରନ୍ତି । ତେଣୁ ଗରିବ ମା’ ଭଉଣୀଙ୍କ ବିକାଶ ଆମର ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ । ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁ । ମହିଳାଙ୍କ ବିକାଶ ହେଲେ ଆମର ବଜାର ଚାହିଦା ବୃଦ୍ଧି ପାଇବ । ତେବେ ଯାଇ ବିଶ୍ୱସ୍ତରୀୟ ଖଦି ଭବନର ସ୍ୱପ୍ନ ସାକାର ହୋଇପାରିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଥିଲେ । ତତ୍ସହିତ ଆଦିବାସୀ ମହିଳାମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ କେମିତି ସୁବିଧା ସୁଯୋଗ ମିଳିପାରିବ ଏମ୍ଏସ୍ଏମ୍ଇ ସହାୟତାରେ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଉଦ୍ବୋଧନ ଦେଇଥିଲେ । ହଳଦୀ ଚାଷୀ, ଅଦା ଚାଷୀ,ତେନ୍ତୁଳି ସଂଗ୍ରହକାରୀଙ୍କୁ କେମିତି ବୈଷୟିକ ସହାୟତା ମିଳିପାରିବ ସେ ସମ୍ପର୍କରେ ଜିଲ୍ଲା ଶିଳ୍ପ ଅଧିକାରୀଙ୍କୁ ଅଧିକ ଯତ୍ନବାନ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଳ୍ପ କେନ୍ଦ୍ର ଅଧିକାରୀମାନେ ଅଧିକରୁ ଅଧିକ ଜନହିତୈଷୀ ହେବା ଆବଶ୍ୟକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଉପସ୍ଥିତ ଅଧିକାରୀଙ୍କୁ ମନ୍ତ୍ରୀ ଶିଳ୍ପ ଅନୁନ୍ନତ କଳାହାଣ୍ଡି ଜିଲ୍ଲାରେ ପ୍ରଥମେ ଏମ୍ଏସ୍ଏମ୍ଇ ତାର ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଏମ୍ଏସ୍ଏମ୍ଇ ବିଭାଗ ତା’ର ବିଭିନ୍ନ କାର୍ଯ୍ୟକ୍ରମରେ ସରଳ ଋଣ ବ୍ୟବସ୍ଥା, ସହଜ ବୈଷୟିକ ସହାୟତା ଯୋଗାଇ ଜିଲ୍ଲାର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍, ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ ଓ ସମସ୍ତ ଜିଲ୍ଲାର ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post