ଭୁବନେଶ୍ୱର,(ଶାସକ ପ୍ରଶାସକ) : ପ୍ରଥମର ଥର ଲାଗି କିମ୍ସରେ ସଫଳ କିଡ଼ନି ପ୍ରତ୍ୟାରୋପଣ କରାଯାଇଛି। କିମ୍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ଼ନି ପ୍ରତ୍ୟାରୋପଣ କରାଯାଇଛି। ଯୁବକ ଜଣକ ସୁସ୍ଥ ହେବା ପରେ ଆଜି ଘରକୁ ଫେରିଛନ୍ତି। ଯୁବକ ଜଣକ କିଡ଼ନି ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମ ଥର ଲାଗି କିମ୍ସ ହସ୍ପିଟାଲ୍ ଡାକ୍ତରୀଦଳ ଗତ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କଠାରେ କିଡ଼ନି ପ୍ରତ୍ୟାରୋପଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସଂପୃକ୍ତ ଯୁବକଙ୍କୁ ତାଙ୍କ ମାଆ କିଡନୀ ଦାନ କରିଥିଲେ। ୨୫ ତାରିଖରେ ଯୁବକଙ୍କ ମାଆ ସୁସ୍ଥ ହେଇ ଘରକୁ ଯାଇଥିବା ବେଳେ ଆଜି ପୁଅ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। କିମ୍ସ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ଡା. ନିକୁଞ୍ଜ କିଶୋର ରାଉତ, ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ, ଡା. ରାଜେଶ କୁମାର ପାଢୀ, ଡା. କୁମାର ଅଭିଜିତ୍ ଦାଶ ଏବଂ ପ୍ରଫେସର ଡା. ସୁ୍ରେଶ ଚନ୍ଦ୍ର ଦାଶଙ୍କୁ ନେଇ ଗଠିତ ନେଫ୍ରୋଲୋଜି ଡାକ୍ତରୀଦଳ ଏବଂ ଡା. ସୁମନ୍ତ କୁମାର ମିଶ୍ର, ଡା.ଅମରେଶ ମିଶ୍ର, ଡା. ଜେ. ବି ଜଗଦ୍ଦେବ ଓ ଡା. ସୁମିତ୍ ପଣ୍ଡାଙ୍କୁ ନେଇ ଗଠିତ ଅସ୍ତ୍ରୋପଚାର ଡାକ୍ତରୀ ଦଳ, ନିଶ୍ଚେତକ ବିଭାଗର ଡା. ସଞ୍ଜୟ ବେହେରା, ଡା ଲବ କୁମାର ନାୟକ ଏବଂ ଡା. ଜି. ସି. ଶତପଥୀଙ୍କୁ ନେଇ ଗଠିତ ପ୍ରତ୍ୟାରୋପଣ ଟିମ୍ ଦ୍ୱାରା ସଂପୃକ୍ତ ଯୁବକଙ୍କଠରେ କିଡ଼ନି ପ୍ରତ୍ୟାରୋପଣ କରାଯାଇଥିଲା। ଡା. ନିକୁଞ୍ଜ କିଶୋର ରାଉତ ଏହି ଟିମର ନେତୃତ୍ୱ ନେଇଥିଲେ। କିଡନି ରୋଗର ଶେଷାବସ୍ଥା ପାଇଁ କିଡ଼ନି ପ୍ରତ୍ୟାରୋପଣ ଏକ ଫଳପ୍ରଦ ନିଦାନ ବୋଲି ଡା ରାଉତ କହିଛନ୍ତି। ଗୋଟିଏ କିଡ୍ନୀତ ଦାନ କରିଦେଲେ ମଣିଷ ଦୁର୍ବଳ ହୋଇଯିବ ଓ ସେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଲୋକଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଛି ତାହା ଠିକ୍ ନୁହେଁ ବୋଲି ଡା ରାଉତ କହିଛନ୍ତି। ଏହା ସହ ଡାୟାଲିସିସ୍ ଏହାର ସ୍ଥାୟୀ ଉପଚାର ନୁହେଁ ବୋଲି ସେ କହିଛନ୍ତି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ପ୍ରୋତ୍ସାହନ ତଥା କିମ୍ସର ମହାନିର୍ଦ୍ଦେଶକ ଡା. ପି. କେ ପଟ୍ଟନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଯୋଗୁଁ କିମ୍ସରେ ପ୍ରଥମ କିଡ଼ନି ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଲା ବୋଲି ଡାକ୍ତରୀଦଳ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ସାମନ୍ତ ଡାକ୍ତରୀ ଦଳର ସମସ୍ତ ଡାକ୍ତର ଏବଂ ଅନ୍ୟ ସହଯୋଗୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.