ରେଢାଖୋଲ (ଶାସକ ପ୍ରଶାସକ): ଯେଉଁ ବାପା ଦିନେ କୋଳେଇ କାଖେଇ ପୁଅକୁ ମଣିଷ କରିଥିଲା, ଆଜି ସେଇ ପୁଅ ପଶୁ ପାଲଟିଗଲା। ନିଜ ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲା ବାପା। ହେଲେ ସେଇ ପୁଅ ଯେ ଦିନେ ରାକ୍ଷାସ ପାଲଟି ଜୀବନ ନେଇଯିବ, ଏକଥା ବାପାକୁ ଅଜଣା ଥିଲା। ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ବିଭତ୍ସ ଭାବେ ହତ୍ୟା କଲା ପୁଅ। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତ ଅନ୍ତର୍ଗତ ଆମ୍ଵଝୁରୀ ଗାଁରେ। ହତ୍ୟାକାଣ୍ଡର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ ଆମ୍ଵଝୁରୀ ଗାଁର ମିର୍ଦ୍ଧା ସାହିରେ ଶୁକ୍ରୁ ମିର୍ଦ୍ଧା (୫୫) ନିଜ ସାନ ପୁଅ ଟଙ୍କଧର ମିର୍ଦ୍ଧା(୨୦) ସହ ଏକାଠି ରହୁଥିଲେ। କିନ୍ତୁ ପୁଅ ମଦ୍ୟପାନ କରୁଥିବାରୁ ବାପା ଶୁକୁରୁ ତାଗିଦ୍ କରନ୍ତି। କିନ୍ତୁ ବାପାର ଆକଟ କଥାରେ ପୁଅ ରାଗିଯାଇଥିଲା। ଆଜି ମଦ ପିଇ ଘରକୁ ଆସିଥିଲା। ନିଶାଶକ୍ତ ଅବସ୍ଥାରେ ବୁଢା ବାପାକୁ ଗାଁ ଦାଣ୍ଡରେ ଗୋଡ଼ାଇଥିଲା। ବାପା ପଡ଼ିଯିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅ।ପୁଅର ଏପରି ରୂପ ଦେଖି ପାଖକୁ ଯିବାକୁ ସମସ୍ତେ ଭୟ କରିଥିଲେ। ଶେଷରେ ଛଟପଟ ହୋଇ ବାପାର ଜୀବନ ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.