୪୭ ପରିବାରକୁ ଗୋଟିଏ ସୋଲାର ପାଣି ଟାଙ୍କି : ଗାଁକୁ ନାହିଁ ପକ୍କା ରାସ୍ତା

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମୟରେ ଲାଗି ରହିଛି ବହୁ ସମସ୍ୟା। ସରକାରୀ ସ୍ତରରେ ହେଉ କି ରାଜନେତାଙ୍କ ସ୍ତରରେ ଅଞ୍ଚଳର ବିକାଶ ହୋଇପାରୁନି। ଯେମିତି କି ସବୁ ଯୋଜନା କଥାରେ ହିଁ ରହି ଯାଉଛି। କିନ୍ତୁ କାମରେ ଶୁନ । ମୋହନା  ବ୍ଲକ ଠାରୁ ମାତ୍ର ୭ କିମି ଦୂରରେ ରହିଛି ପାହାଡ଼ ଉପରେ ଗୁରୁୁଗୁଡା ଗ୍ରାମ। ଏହି ଗ୍ରାମକୁ ଯିବା ପୂର୍ବରୁ ପୂର୍ତ୍ତି ବିଭାଗ ରାସ୍ତା ପାର୍ଶ୍ଵରେ ଅତି ସୁନ୍ଦର ଭାବେ ନିର୍ମାଣ ହୋଇଛି ଯାତ୍ରୀ ବିଶ୍ରାମାଗାର । ହେଲେ ଗାଁକୁ ନାହିଁ ପକ୍କା ରାସ୍ତା । ଭଲ ରାସ୍ତା ଖଣ୍ଡେ ନ ଥିବାରୁ ମାଟି ରାସ୍ତା ସେମାନଙ୍କ ସାହା ଭରସା। ଗୋଟିଏ ସ୍ଥାନରେ ଏକ ଲକ୍ଷ ଟଙ୍କା ବିନିମୟରେ ୧୦ ମିଟର ନିର୍ମାଣ ହୋଇଛି ସିସି ରୋଡ଼ । ଘାଟି ରାସ୍ତା । ବର୍ଷା ଦିନେ ଗ୍ରାମ ଲୋକଙ୍କ ଯାତାୟତ ଠପ । ଗାଁର କୌଣସି ଲୋକ ଯଦି ଜ୍ଵର ,ଝାଡା କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହେଲେ ମେଡିକାଲ ସୁବିଧା ପାଇଁ ଆମ୍ବୁଲାନ୍ସ ପହଁଞ୍ଚି ପାରୁନି। ଯାହା ଫଳରେ ଅନ୍ୟ ଗ୍ରାମ ରାସ୍ତା ଦେଇ ୪ କିମି ବୁଲି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ୁଛି। ସେହିଭଳି ଗ୍ରାମରେ ବସବାସ କରନ୍ତି ୪୭ ପରିବାର। ଏହି ଗ୍ରାମରେ ରହିଛି ଗୋଟିଏ ସୋଲାର ପାନୀୟ ପ୍ରକଳ୍ପ । ଯାହାକି ଲୋକଙ୍କୁ ପାଣି ଯୋଗାଇବାରେ ଅସମର୍ଥ। ଏଣୁ  ଗ୍ରାମର ମହିଳା ମାନେ ୫୦୦ ମିଟର ଦୂର ପାହାଡ଼ ନିକଟରେ ଥିବା କୁଅଁ ଉପରେ ଭରସା କରନ୍ତି। ସେହି ଦୂଷିତ ପାଣିକୁ ବ୍ୟବହାର କରନ୍ତି।  ପାହାଡ଼ ଉପରୁ ପାଣି ଆଣିବା ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ଗ୍ରାମ ଗୁଡିକ ପ୍ରତି  ନେତା , ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ମାନଙ୍କ ନଜର ପଡୁନଥିବାରୁ  ଏଥିପ୍ରତି ସ୍ୱତନ୍ତ୍ର ଭାବେ ସମସ୍ତେ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Leave A Reply

Your email address will not be published.