ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର :ଭାରତୀୟ ହକିକୁ ଓଡିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କଲେ

0 1

କ୍ରୀଡା ଭିତ୍ତିଭୂମି ଓ ବାଣିଜ୍ୟ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସହମତି

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି।
ବୈଠକରେ ଓଡିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି ଏବଂ ହକି ଖେଳରେ ଉନ୍ନତି ପାଇଁ ଓଡିଶା ଯେଭଳି ଭାବରେ ନେତୃତ୍ବ ନେଇଛି, ସେଥିପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରିଥିଲେ । ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏତଦ୍‌ବ୍ୟତୀତ ଓଡିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିଲା।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାରେ Hockey Worldcup ସମୟରେ ଅଷ୍ଟ୍ରେଲିଆ ଦଳର ଗସ୍ତ ସଂପର୍କରେ ମନେପକାଇ ଅଷ୍ଟ୍ରେଲିଆ ହକି ଦଳର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଏତଦ୍‌ବ୍ୟତୀତ ଖଣି ଅନୁସଂଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା ।

Leave A Reply

Your email address will not be published.