ପ୍ରେମଓ ଭକ୍ତିର ସୁନ୍ଦର ସଙ୍ଗମ: ପ୍ରେମ ବରଷିଲା ‘ସ୍ମୃତି ନୀଡ’, ଭକ୍ତି ଭାବରେ ବୁଡ଼ାଇଲା ‘ପୁଣ୍ୟ ବ୍ରହ୍ଣ’

0

କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ

ଭୁବନେଶ୍ୱର (ଚକ୍ରଧର ମାଝୀ) : ଏକ ସାଙ୍ଗରେ ପ୍ରେମ ଓ ଭକ୍ତି ଭାବର ଫେଣ୍ଟାଫେଣ୍ଟି ଅନୁଭବ ମିଳିଥିଲା | ପ୍ରେମର ଗୀତରେ ମନ କିଛି ସମୟ ପାଇଁ ଆନମନା ହୋଇଯାଇଥିବା ବେଳେ ଭକ୍ତିଗୀତରେ ମନ ତଲ୍ଲୀନ ହୋଇଯାଇଥିଲା ଭାବ ରାଇଜରେ କାଳିଆର ପାଦତଳେ ଅମୃତ ଭାବନାରେ | ଏଭଳି ସୁନ୍ଦର ତଥା ନିଆରା ଅବସର ଯୋଗଶଶିଥିଳା କବି ଗୀତିକାର ତଥା ପ୍ରଶାସକ ଶ୍ରୀ ନିରଞ୍ଜନ ସେଠୀଙ୍କ ‘ସ୍ମୃତି ନୀଡ’ ଓ ‘ପୁଣ୍ୟ ବ୍ରହ୍ମ’ ଲୋକାର୍ପଣ ଅବସରରେ |
ସତ କହିବାକୁ ଗଲେ ଗୀତ ସହିତ ମିତ ବସିଗଲେ ଜୀବନଟା ସତରେ ଭାରି ମଧୁର ହୋଇଯାଏ । ଫଗୁଣ, ବଉଳ, କୋଇଲି, ଫୁଲ, ମଳୟ,ଜହ୍ନ, ତାରା ଆପଣା ପଣରେ କୋଳେଇ ନିଅନ୍ତି ଏମିତି ଢଙ୍ଗରେ…,ବର୍ଷା, ବସନ୍ତ, ବୈଶାଖ, ଶୀତ, କାକର, ନିଜର ହୋଇଯାଆନ୍ତି । ଝଡ, ବାତ୍ୟା ଆଉ ଜୀବନର କଠୋର ସମୟ କେଉଁବାଟେ ବାଟ ଭାଙ୍ଗି ଯାଆନ୍ତି, ଭାବିଲା ବେଳକୁ ସମୟ ତା’ବାଟରେ ନିଗିଡି ଯାଇଥାଏ । ସମ୍ପ୍ରତି କଳିର କରାଳରେ କଳଙ୍କିତ ପୃଥିବୀ । ଜୀବନର ଚଲାପଥ କଣ୍ଟକମୟ । ସମାଜ ପଙ୍କିଳ, ଦିନକୁ ଦିନ ରସାତଳଗାମୀ । ଏମିତି ଭିତରେ ଦୁଃଖ, ସୁଖକୁ ନିଜର କରି ମଣିଷ ଭଳି ମଣିଷଟିଏ ହୋଇ ବଂଚିବା ଦୁରୂହ ବ୍ୟାପାର । ଏମିତି ଏକ ସନ୍ଧିକ୍ଷଣରେ ନିରଞ୍ଜନ ସେଠୀଙ୍କ ରଚିତ ଗୀତଗୁଡିକ ବଂଚିବା ପାଇଁ ଆଉ ଦୁଃଖ ,ଚାପ ଭୁଲି ଜିଇଁବା ପାଇଁ ଏକ ନୂତନ ଆଶାର ସଂଚାର କରେ ।

‘ପୁଣ୍ୟ ବ୍ରହ୍ଣ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ଦ୍ୱାରା ରଚିତ ଛଅଟି ଭକ୍ତି ସଂଗୀତର ଲୋକାର୍ପଣ ପୂର୍ବରୁ ହୋଇ ସାରିଥିବା ବେଳେ ଆଜି ଏହି ଶୀର୍ଷକରେ ଶ୍ରୀଚରଣଙ୍କ କଣ୍ଠରେ ଆଉ ଗୋଟିଏ ଗୀତ “ସୁନା ଠାକୁର” ଲୋକାର୍ପିତ ହୋଇଛି । ଆଜି ମଧ୍ୟ ‘ସ୍ମୃତି ନୀଡ’ ଶୀର୍ଷକରେ ଶ୍ରୀ ସେଠୀଙ୍କ ରଚିତ ପାଂଚୋଟି ଆଧୁନିକ ସଂଗୀତ ଲୋକାର୍ପିତ ହୋଇଛି । ଜହ୍ମକୁ ମାଗୁଛି…ଶଶାଙ୍କ ଶେଖର, ଆକାଶରୁ ଜହ୍ନ….କରୁଣାକର, ପଖାଳ କଂସା…ଲୋପାମୁଦ୍ରା, ଭାବିଛି ମୁଁ ମନେ….ବିବୁ ଦାସ, ଲବଙ୍ଗ ଦ୍ୱୀପ…ଶ୍ରୀଚରଣ ପ୍ରଭୃତି କଣ୍ଠଶିଳ୍ପୀଙ୍କର ସୁଲଳିତ କଣ୍ଠରେ ଗୀତଗୁଡିକ ଅତ୍ୟନ୍ତ ଚମକ୍ରାର ଓ ହୃଦୟସ୍ପର୍ଶୀ ହୋଇଛି । ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଲୋକଦେବ ଓ ସୌମ୍ୟ ସୋଭାଗ୍ୟ । ସଂଗୀତ ପରିଚାଳନା କରିଛନ୍ତି ବିଦ୍ୟାଧର ସାହୁ । ସବୁଠାରୁ ବଡ଼କଥା ହେଲା ସଂଗୀତ ଜଗତରେ ନୂଆକରି ପାଦ ଥାପି ଥିବା ସୌମ୍ୟ ସୌଭାଗ୍ୟଙ୍କ ସ୍ୱର ସଂଯୋଜନା ତଥା ନିର୍ଦ୍ଦେଶନାରେ ଶଶାଙ୍କ ଶେଖରଙ୍କ କଣ୍ଠରେ “ଜହ୍ନକୁ ମାଗିଛି” ଗୀତଟି ବେଶ ମନଛୁଆଁ ହୋଇଛି |
ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡଃ. ସିଦ୍ଧାର୍ଥ ଶଙ୍କର ପାଢୀ, ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ କହିଲେ ଯେ, ଅପରୂପ ଶବ୍ଦ ବିନ୍ୟାସରେ ଶ୍ରୀ ନିରଞ୍ଜନ ସେଠୀଙ୍କ ରଚିତ ସମସ୍ତ ଗୀତ ଏବଂ କଣ୍ଠଶିଳ୍ପୀମାନଙ୍କର କଣ୍ଠର ଯାଦୁକରୀ ସ୍ପର୍ଶରେ ଗୀତଗୁଡିକ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଆମୋଦଦାୟକ ହୋଇଛି, ଯାହାକି ଶ୍ରୋତାମାନଙ୍କୁ ନିଶ୍ଚିତ ମୋହାଚ୍ଛନ୍ନ କରିବ । ଓଡିଆ ସଂଗୀତ ଜଗତକୁ ଏହା ଅପୂର୍ବ ଅବଦାନ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଆଲୋକ ଦେବ, ଜଣାଶୁଣା ମ୍ୟୁଜିକ ଆରେଞ୍ଜର ବିଦ୍ୟାଧର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନବାଗତ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶ୍ରୀ ସେଠୀଙ୍କ ସୁପୁତ୍ର ସୌମ୍ୟ ସୌଭାଗ୍ୟଙ୍କୁ ସମ୍ବର୍ଦ୍ଧିତ କରି ଅତିଥି ମାନେ ତାଙ୍କ ନିର୍ଦ୍ଦେଶନାକୁ ପ୍ରଶଂସା କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ | ମିରାମ୍ବିକା ଇଭେଣ୍ଟସ୍ ଓ ସାଇସ୍ମୃତି ପ୍ରଡକ୍ସନ ପ୍ରଯୋଜନାରେ ଏଇ ସବୁ ଭକ୍ତି ସଂଗୀତ ଓ ଆଧୁନିକ ସଂଗୀତ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.