ଆସୁଛନ୍ତି ଅଶ୍ବିନୀ, ବଲାଙ୍ଗୀରରେ ରେଳ କ୍ଷେତ୍ରର ବିକାଶ ପାଇଁ ବିଜେଡିର ଦାବି

0 2

 ବଲାଙ୍ଗୀର/ନିରୋଜ ମିଶ୍ର : ଆଜି(ଗୁରୁବାର) ଠାରୁ ୩ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ । ଅଶ୍ବିନୀ ଓଡିଶାର ହୋଇଥିବାରୁ ରେଳ ଉନ୍ନତିକରଣ କ୍ଷେତ୍ରରେ ରାଜ୍ୟବାସୀ ତଥା ରାଜ୍ୟ ସରକାରଙ୍କ ଅଧିକ ଆଶା ପୋଷଣ କରିଛନ୍ତି ।ତେବେ ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ବଲାଙ୍ଗୀର ରେଳ କ୍ଷେତ୍ରର ବିକାଶକୁ ନେଇ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ମନ୍ତ୍ରୀ ଏହା ଉପରେ ଧ୍ୟାନ ଦେବେ ବୋଲି ଆଶା ପୋଷଣ କରିଛନ୍ତି । ଆସନ୍ତା 22 ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବଲାଙ୍ଗୀର ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ମନ୍ତ୍ରୀ ଲୋକଙ୍କ ସହ ସିଧାସଳଖ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବେ । ସେପଟେ ବିଜେଡି ବଲାଙ୍ଗୀର ରେଳ କ୍ଷେତ୍ରର ବିକାଶ ପାଇଁ ଦାବି ରଖିଛି । ଯେଉଁଥିରେ 1994 ମସିହାରୁ ଦେଶର ସବୁଠାରୁ ବିଳମ୍ବିତ ରେଳ ପ୍ରକଳ୍ପ ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଏମାନେ ଦାବି କରିଛନ୍ତି । ଯାହାଦ୍ବାରା ଏହି ପ୍ରକଳ୍ପ ପାଇଁ ବାଧା ସାଜିଥିବା ଜମି ଅଧିଗ୍ରହଣ ଓ ଜଙ୍ଗଲ ପରିବେଶ ମଞ୍ଜୁରୀ ଭଳି ସମସ୍ୟା ଦୂର ହେବ ବୋଲି କହିଛନ୍ତି ।ସେହିପରି ବଲାଙ୍ଗୀର କଣ୍ଟାବାଞ୍ଜି ଠାରେ ଏକ ରେଳ ୱାଗନ କାରଖାନା ସ୍ଥାପନର ମଧ୍ୟ ଦାବି କରାଯାଇଛି । ଏପରି ହେଲେ ଏଠାକାର ଦାଦନ ପ୍ରବଣ ଅଞ୍ଚଳର ଲୋକେ ରୋଜଗାର ପାଇବେ ବୋଲି ବିଜେଡି କହିଛି । ସମାନ ଭାବରେ ବଲାଙ୍ଗୀର ରେଳ ଷ୍ଟେସନକୁ ପ୍ରଧାନ ମନ୍ତ୍ରୀ ମଡେଲ ଷ୍ଟେସନ ଭାବରେ ଘୋଷଣା କରାଯାଇ ତାର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ବିଜେଡି ଦାବି କରିଛି ।

Leave A Reply

Your email address will not be published.