କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟୁଇଟ କରି କଲେ ସନ୍ତୋଷବ୍ୟକ୍ତ
ଭୁବନେଶ୍ୱର : କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ୍ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛନ୍ତି | ନିର୍ଦ୍ଦିଷ୍ଟ ନିୟମ ଆଧାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରାଯାଇଥିବା ବେଳେ ସେ ସବୁକୁ ତର୍ଜ୍ଜମା କରି ୟୁଜିସି କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ରାଜ୍ୟ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି | ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଦିଆଯାଇଥିବା ପତ୍ରର ଉତ୍ତରରେ ବିଧିବଦ୍ଧ ଏକ ପତ୍ର ଲେଖି ୟୁଜିସି ପକ୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ ନିକଟକୁ ପତ୍ର ଲେଖି ଅବଗତ କରାଯାଇଛି |
ଆଜି ଏହାକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଶ୍ରୀ ପ୍ରଧାନ ଟୁଇଟ କରି କହିଛନ୍ତି ଯେ ” କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ୍ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ଏହି ନିଷ୍ପତି ନିଶ୍ଚିତ ଭାବରେ ଜନଜାତି ବହୁଳ ଅଞ୍ଚଳ କଳାହାଣ୍ଡି ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି’ ଜରିଆରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରାଇବ ବୋଲି ଆଶା କରୁଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ 1956 ଧାରା 12(ବି)ରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଏହି ଆର୍ଥିକ ଅନୁଦାନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ମଜବୁତ୍ କରିବା ସହ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବାରେ ସହାୟକ ହେବ । ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ନେଇ ମୋତେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଅବଗତ କରାଇଥିଲେ । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।”