ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସର ସଜବାଜ

0 2

https://youtu.be/KxAK4soviVA

ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବାନା ଉଡିବ : ଦାଶରଥି

ପାରଳାଖେମୁଣ୍ଡି / ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସ ତାର ରଣନୀତି କୌଶଳ ଅଭିଯାନ ବନଦୁର୍ଗା ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଛି । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସହ ପୌର ଓ ଏନଏସି: ନିର୍ବାଚନକୁ କିଭଳି ସଫଳତାର ସହ ଅଧିକ ଆସନ ନେବୁ , ସେଥିପାଇଁ ସମସ୍ତ କଂଗ୍ରେସ କମିଟିର କର୍ମକର୍ତ୍ତା ଏକତ୍ରିତ ହୋଇ ଅଭିଯାନ ଆରମ୍ଭ କରିଛୁ ଏବଂ ଏହି ନିର୍ବାଚନ ଗୁଡିକ ରାଜ୍ୟ କିଷାନ କଂଗ୍ରେସର ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ ଜିଲ୍ଲା କଂଗ୍ରେସର ବାନା(ଧ୍ବଜା) ଉଡିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ସୂଚନା ଦେଇ ପ୍ରକାଶ କହିଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଗମାଙ୍ଗ ଅଧ୍ୟକ୍ଷତା କରି କହିଥିଲେ ଯେ , ରାଜ୍ୟରେ ଆମ ସରକାର ନାହିଁ କି ଗଜପତି ଜିଲ୍ଲାରେ କଂଗ୍ରେସର ନେତୃତ୍ୱ ନେଲାଭଳି ନେତା ନାହାନ୍ତି , ତେଣୁ ଏହାର ବିକଳ୍ପ ପାଇଁ ମୁଁ ରାଜ୍ୟ କିଷାନ କଂଗ୍ରେସର ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ପୌର ଓ ଏନଏସି ନିର୍ବାଚନରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲି ଏବଂ ସେ ମଧ୍ୟ ଆମ ଅନୁରୋଧ ରକ୍ଷାକରି ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ବର୍ତ୍ତମାନ ଠାରୁ ଆମ ଗହଣରେ ଆସି ରହିଛନ୍ତି ।
ଗତ ଗୁମ୍ମା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ଉପ-ନିର୍ବାଚନ ଜିତିବା ଓ ବ୍ଲକ-ଅଧ୍ୟକ୍ଷ ପଦବୀ ହାତେଇବା ପଛରେ ତାଙ୍କର ବେଶ୍ ଭୂମିକା ରହିଥିଲା । ଯାହାକି ସେହି ଉପ-ନିର୍ବାଚନରେ କଂଗ୍ରେସ ୧୧ ଟି ସମିତିସଭ୍ୟଙ୍କୁ ନେଇ ରଣନୀତି କୌଶଳ କରି ସଫଳ ହୋଇପାରିଲୁ।
ସେହିଭଳି କଂଗ୍ରେସ ଘଡିସନ୍ଧି ମୁହୂର୍ତ୍ତର ଅସମୟ ଓ ଦୁର୍ଦ୍ଦିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ରଶ୍ମିରଞ୍ଜନ ଆମ ଅନୁରୋଧ ରକ୍ଷାକରି ଏବଂ ଆମ ପାଖରେ ଠିଆହୋଇ ଆମକୁ ଉପ ନିର୍ବାଚନରେ ସଫଳ କରାଇ ପାରିଲେ , ତାହା ନିଶ୍ଚିତ ଭାବେ ଆମ ଜିଲ୍ଲା କଂଗ୍ରେସ ପାଇଁ ଏକ ଶୁଭ-ସଂକେତ ବୋଲି କହିଥିଲେ ।
ଗତ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଭି: ଚନ୍ଦ୍ରଶେଖର ନାଇଡୁ ହୋଇଥିଲେ । ସେ ନିର୍ବାଚନରେ ହାରି ଯାଇଥିଲେ ମଧ୍ୟ ଗଜପତି ଜିଲ୍ଲା-ଅଞ୍ଚଳରୁ ବହୁ ସଂଖ୍ୟାରେ ଭୋଟ ପାଇଥିଲେ । ହେଲେ ହାରିଯିବା ପରବର୍ତ୍ତୀ ସମୟରେ ଜିଲ୍ଲାବାସୀଙ୍କୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରିଛନ୍ତି । ଏମିତିକି , ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ମଧ୍ୟ ଶ୍ରୀ ନାଇଡୁ ସମନ୍ୱୟର ଅଭାବ ରଖି ଚାଲିଛନ୍ତି । ମୁଁ ମୋହନା ବିଧାୟକ ନିର୍ବାଚିତ ହେବା ପରେ ଜିଲ୍ଲାରେ କଂଗ୍ରେସ ସଂଗଠନ ସ୍ଥିତିକୁ କିଭଳି ଆହୁରି ଅଧିକ ସୁଦୃଢ କରିହେବ , ସେଥିନେଇ ମୁଁ ବହୁବାର ଶ୍ରୀ ନାଇଡୁଙ୍କୁ ଆଲୋଚନା କରିବାକୁ ଅନୁରୋଧ କରିଥିଲି , ହେଲେ ସେ ଏଥିପ୍ରତି ବୈମାତୃକ ମନୋଭାବ ପୋଷଣ କରି କେବେ ହେଲେ ଆଲୋଚନା ପାଇଁ କୌଣସି ପ୍ରକାର ଗୁରୁତ୍ୱ ଦେଇନାହାନ୍ତି ।
ଗତ ସାଧାରଣ ନିର୍ବାଚନରେ ମୁଁ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏବଂ ଶ୍ରୀ ନାଇଡୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଉଭୟେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା ମଇଦାନରେ ଥିଲୁ । ହେଲେ ନିର୍ବାଚନ ପାଇଁ ଆର୍ଥିକ ସହାୟତା କ୍ଷେତ୍ରରେ ମୋତେ ଦଳର ସଭାପତି କହିଥିଲେ ଯେ , ତୁମ ସାଂସଦ ପ୍ରାର୍ଥୀ ଶ୍ରୀ ନାଇଡୁଙ୍କୁ ତୁମ ପାଇଁ ନିର୍ବାଚନ ପାଇଁ ଆର୍ଥିକ ସହାୟତା ଦିଆଯାଇଛି , ସେ ତୁମକୁ ଦେବେ । କିନ୍ତୁ ଅତି ଦୁଃଖର କଥା ଯେ , ସାଂସଦ ପ୍ରାର୍ଥୀ ଶ୍ରୀ ନାଇଡୁଙ୍କ ଠାରୁ ମୋତେ କୌଣସି କିଛି ଆର୍ଥିକ ସହାୟତା ମିଳିନାହିଁ । ହେଲେ ମଧ୍ୟ ମୁଁ ସମସ୍ତଙ୍କ ଆଶୀର୍ବାଦରେ ନିର୍ବାଚନରେ ବିଜୟୀ ହେଲି ।
ଏଭଳି ଘଡିସନ୍ଧି ମୁହୂର୍ତ୍ତର ଦୁର୍ଦ୍ଦିନ ପରିସ୍ଥିତିରେ ଆମେ ଗତି କରୁଛୁ । ରାଜ୍ୟରେ ଆମ ସରକାର ନାହିଁ କି ଗଜପତି ଜିଲ୍ଲାରେ କଂଗ୍ରେସର ନେତୃତ୍ୱ ନେଲାଭଳି କେହି ଟାଣୁଆ ନେତା ନାହାନ୍ତି । ଯେଉଁ କେତେକ ଥିଲେ କିଏ ବିଜେଡି ତ କିଏ ବିଜେପିକୁ ଚାଲିଗଲେଣି । ହେଲେ ଏ ଦିଗରେ ଅନ୍ୟ ଉପାୟ ନ ପାଇ ଜିଲ୍ଲା କଂଗ୍ରେସ ଏହାର ବିକଳ୍ପ ଟାଣୁଆ ନେତା ସ୍ୱରୂପ ରାଜ୍ୟ କିଷାନ କଂଗ୍ରେସ ଦାୟିତ୍ୱରେ ଥିବା ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କୁ ସହଯୋଗ କରିବା ପାଇଁ ଗଜପତି ଆସିବାକୁ ଅନୁରୋଧ କରାଗଲା । ଶ୍ରୀ ପଟ୍ଟନାୟକ ଅନୁରୋଧ ରକ୍ଷାକରି ଆସିବା ପରେ ପ୍ରଥମେ ଗୁମ୍ମାବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନ , କଂଗ୍ରେସର ରାଣା-କୌଶଳ ତାଙ୍କ ନେତୃତ୍ୱରେ ହିଁ କରାଗଲା । ଆମେ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ନେତୃତ୍ୱରେ ହିଁ ସେହି ଉପ ନିର୍ବାଚନରେ ଜିତି ବ୍ଲକ-ଅଧ୍ୟକ୍ଷ ଆସନ ହାତେଇଲୁ ।
ତେଣୁ , ଗଜପତି ଜିଲ୍ଲା କଂଗ୍ରେସ , ଆଗାମୀ ଦିନ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ପୌର ଓ ଏନଏସି ନିର୍ବାଚନରେ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ କଂଗ୍ରେସର ବାନା ଉଡାଇବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ , ରାଜ୍ୟ କିଷାନ କଂଗ୍ରେସ ଦାୟିତ୍ୱରେ ଥିବା ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ , ଗଞ୍ଜାମ ଜିଲ୍ଲାର ମହିଳା ନେତ୍ରୀ ବନଜା ପଣ୍ଡା ଓ ଏସ: ସୁଜାତା , ଜିଲ୍ଲା ଉପ-ସଭାପତି ଶ୍ରୀ ମହେଶ୍ବର ପାତ୍ର , ଜିଲ୍ଲା ସମ୍ପାଦକ ଶ୍ରୀ ଏସ୍ : ଦଣ୍ଡପାଣି ପାତ୍ର ଏବଂ ଗଜପତି ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ସଞ୍ଜୟ ଅଧିକାରୀ , ବସନ୍ତ ପଣ୍ଡା , ଅଭିମନ୍ୟୁ ପଣ୍ଡା , ମନୋଜ ସାହୁ , କୁନା ମାଝୀ , କୃଷ୍ଣ କୁମାର ବେହେରା ଓ ପ୍ରବୀଣ କୁମାର ଲୀମା ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.