ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଉଦଘାଟିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହିତ ଏବଂ ରୋଜଗାର କ୍ଷମ କରିବା ନିମନ୍ତେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡିଙ୍କ ମିଳିତ ସହଯୋଗରେ ଏହି ” ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର” ରାୟଗଡ ଠାରେ ପ୍ରତିଷ୍ଠା ହୋଇଛି ।
ଏହି ସିଲେଇ କେନ୍ଦ୍ର ମାଧ୍ୟମରେ ମୁଖ୍ୟତଃ ୭ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀର ୭୦ ଜଣ ଆଦିବାସୀ ମହିଳା ବିଭିନ୍ନ ପ୍ରକାରର ପୋଷାକ ସିଲେଇ କରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ପାରିବା ସହ ଏହା ସେମାନଙ୍କ ଆର୍ଥିକ ସ୍ଥିତି ଅଭିବୃଦ୍ଧି ହେବା ଦିଗରେ ଏକ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ।
ଏହି ସିଲେଇ କେନ୍ଦ୍ରପାଇଁ ପାରଳାଖେମୁଣ୍ଡି ସ୍ଥିତ ଆଇଟିଡିଏ: ପକ୍ଷରୁ ୪ ଗୋଟି ଇଲେକ୍ଟ୍ରି ସିଲେଇ ମେସିନ ଯୋଗାଇ ଦିଆ ଯାଇଥିବା ବେଳେ ଏହାର ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଏହି ସିଲେଇ କେନ୍ଦ୍ର ପାଇଁ ବାକି ୨୮ ଗୋଟି ସିଲେଇ ମେସିନ ଏସଏଚଜି: ମହିଳା ମାନେ ସେମାନଙ୍କ ନିଜସ୍ୱ ଉଦ୍ୟମରେ ଯୋଗାଡ଼ କରିଥିବା କୁହାଯାଇଛି ।
ଏ ଦିଗରେ ସେମାନଙ୍କ ନିଶ୍ଚିତ ବଜାର ସୁବିଧା ବ୍ୟବସ୍ଥା ପାଇଁ ଏବଂ ଅଧିକ ଆୟ ବୃଦ୍ଧି ପାଇଁ ରାୟଗଡ ବ୍ଲକ ଅଞ୍ଚଳରେ ଥିବା ମୋଟ ୫୫ ଗୋଟି ବିଦ୍ୟାଳୟର ୫୯୦୯ ଜଣ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ୨ ହଳ ସ୍କୁଲ ପୋଷାକ ସିଲେଇ କରିବା ନିମନ୍ତେ ଚିହ୍ନଟ କରାଯାଇ ଯୋଗାଣ ଆଦେଶ ଦିଆଯାଇଛି ।
ଏହି କ୍ଷେତ୍ରରେ ମୋଟ ୨୩ ଲକ୍ଷ ୬୩ ହଜାର ୬୦୦ ଟଙ୍କା ସିଧାସଳଖ ଭାବେ ଏସଏଚଜି: ଗୋଷ୍ଠୀଙ୍କ ବ୍ୟାଙ୍କ ଜମା-ଖାତାକୁ ଯିବ।
ଏଥିସହିତ , ସମଗ୍ର ଗଜପତି ଜିଲ୍ଲାରେ ୮୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୪୦୫ଟି ବିଦ୍ୟାଳୟର ୩୮ହଜାର ୪୮୧ ଜଣ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ୨ ହଳ ସ୍କୁଲ ପୋଷାକ ପ୍ରସ୍ତୁତ କରିବା ବ୍ୟବସ୍ଥା କରା ଯାଇଥିବା କୁହାଯାଇଛି।
ଏହିସବୁ ଯୋଜନା ଦ୍ୱାରା ମୋଟ ୧ କୋଟି ୫୫ ଲକ୍ଷ ଟଙ୍କା ଏସଏଚଜିଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଭାବେ ପ୍ରେରଣ କରିବା ନିମନ୍ତେ ବ୍ୟବସ୍ଥା କରା ଯାଇଥିବା ବେଳେ ଏହା ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ବେଶ ସହାୟକ ହୋଇପାରିବ ।
ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଏହିଭଳି ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଏସଏଚଜି: ଗୋଷ୍ଠୀର ସଦସ୍ୟ ମାନଙ୍କୁ ତାଲିମ ଓ ରୋଜଗାରକ୍ଷମ କରାଯିବାର ବ୍ୟବସ୍ଥା କରାଯାଇଛି ।
ସୂଚନା ଯେ , ପୂର୍ବରୁ ଏ ଦିଗରେ ଜିଲ୍ଲା ଶିକ୍ଷା-ବିଭାଗ ପକ୍ଷରୁ ଜିଲ୍ଲାର ୮୧୦ ଟି ସ୍କୁଲର ୮୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ୨ ହଳ ସ୍କୁଲ-ପୋଷାକ ନିମନ୍ତେ ମୋଟ ୪ କୋଟି ଟଙ୍କା ଦେଇ କ୍ଷତି ସହିବାକୁ ପଡିଥିଲା । ଯାହାକି ଏହିସବୁ ପୋଷାକଯୋଗାଣ ପାଇଁ କ୍ରୟ- ଆଦେଶ , ବାହାର ଭେଣ୍ଡରକୁ ଦିଆ ଯାଇଥିଲା ।
ବର୍ତ୍ତମାନ ଜିଲ୍ଲାରେ ଏହିଭଳି ସୁଯୋଗର ପ୍ରାଥମିକ ପଦକ୍ଷେପ , ସ୍ଥାନୀୟ ଅଞ୍ଚଳର ଆଦିବାସୀ ମହିଳା ମାନଙ୍କୁ ଏହା ସଶକ୍ତ କରାଇବା ସହ ଟଙ୍କା ଉପାର୍ଜନ କରିବାର ସୁଯୋଗ ଦିଗରେ ବେଶ ସହାୟକ ହୋଇପାରିବ । ଅନ୍ୟପକ୍ଷରେ ଆଗାମୀ ଦିନ ମାନଙ୍କରେ ଗଜପତି ଜିଲ୍ଲାର ବିଦ୍ୟାଳୟ ଗୁଡିକ ଏଣିକି ସିଧା-ସଳଖ ଭାବେ ଏହି ସିଲେଇ କେନ୍ଦ୍ର ଗୁଡିକରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ-ପୋଷାକ ପାଇଁ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଟିଡିଏ:-ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ରାୟଗଡ ବିଡ଼ିଓ:- ଶ୍ରୀ ରାଜା ରଞ୍ଜିତ , ଜିଲ୍ଲାର ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ଅଧିକାରୀ ଗଣ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.