ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନୂତନ ଜିଲ୍ଲା କୋର୍ଟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସତ୍ୟପିର ମିଶ୍ର ଅଧ୍ୟକ୍ଷତା କରି ବିଭିନ୍ନ କୋର୍ଟରେ ଆୟୋଜିତ ଲୋକ ଅଦାଲତର ସ୍ଥିତି ଅନୁଧ୍ୟାନ କରିଥିଲେ ।
ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଯଥା:- ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହେମନ୍ତ କୁମାର ସେଠି , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ ପଣ୍ଡା , ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ବରିଷ୍ଠ ଦେୱାନି ବିଚାରପତି ଶ୍ରୀ ଚନ୍ଦ୍ରାହାଶ ବେହେରା , ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଅରଜିତ୍ ଦାଶ , ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଣୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରୟଦର୍ଶନୀ ପ୍ରମୁଖ ଯୋଗଦେଇ ନିଜ ନିଜ କୋର୍ଟ ପରିଚାଳନା କରିଥିଲେ ।
ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ କାଶୀନଗର ଗ୍ରାମ୍ୟ ନ୍ୟାୟାଳୟର ଅଧିକାରୀଣି ଶୁଶ୍ରୀ ରେସ୍ମା ଧଳବିଷୋୟୀ , ମୋହନା ଜେଏମଏଫସି ଅନନ୍ୟା ଦାସ , ରା:ଉଦୟଗିରି ସବ୍ ଜଜ ଶ୍ରୀ ପରେଶ ଦାସ ଏବଂ ଜେଏମଏଫସି ଶ୍ରୀ ବି.ବି ରାୟ ପ୍ରମୁଖ ମଧ୍ୟ ନିଜ ନିଜ କୋର୍ଟରେ ଲୋକ ଅଦାଲତ ଆୟୋଜନ କରିଥିଲେ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ଓକିଲ ବୃନ୍ଦଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।
ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ମୋଟର ଜନିତ ଦୁର୍ଘଟଣା କେସ୍ ର ତ୍ୱରିତ ବିଚାର ସମାଧାନ କରାଯାଇ ଜିଲ୍ଲା ଜଜ୍ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶରେ ୩ ଗୋଟି କେସ୍ ରୁ ମୋଟ ୨୧ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଅନ୍ୟ ପକ୍ଷରେ ଗଜପତି ଜିଲ୍ଲାରେ ଆସିଥିବା ସମୁଦାୟ ୪୬୮ ଟି କେସ୍ ମଧ୍ୟରୁ ୫୭ ଗୋଟି କେସ୍ ସମାଧାନ କରାଯାଇ ମୋଟ ୨୫ ଲକ୍ଷ ୫୭ ହଜାର ୮୦୦ ଟଙ୍କା କ୍ଷତିପୂରଣ ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।