ବାତ୍ୟା ୟଶ୍ ପ୍ରଭାବିତ ଅଂଚଳରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ରିଲିଫ ଓ ରିଷ୍ଟୋରେସନ କାର୍ଯ୍ୟ

0 2

ଭୁବନେଶ୍ୱର : ବାତ୍ୟା ୟଶ୍ ଗତ କାଲି ଭଦ୍ରକ ଓ ବାଲେଶ୍ୱର ମଧ୍ୟବର୍ତୀ ଅଂଚଳରେ ଲ୍ୟାଣ୍ଡଫଲ କରି ଉତର-ପଶ୍ଚିମ ଦିଗ ଆଡେ ଗତି କରି ମୟୁରଭଂଜ ଦେଇ ଓଡିଶା ଅତିକ୍ରମ କରିଛି । ବାତ୍ୟା ଓ ବର୍ଷା କାରଣରୁ ବହୁ ଧନଜୀବନ ହାନି ହେବା ସହ ପ୍ରଭାବିତ ଅଂଚଳବାସୀ ବହୁ କଷ୍ଟରେ ଅଛନ୍ତି । ଲୋକମାନଙ୍କ ଘରଦ୍ୱାର ଭାଙ୍ଗି ଯିବା ସହ ବନ୍ୟା ପାଣି ଘରେ ପଶି ବହୁ କ୍ଷୟକ୍ଷତି ଘଟାଇଛି । ବହୁ ସଂଖ୍ୟରେ ଗରୀବ, ଅସହାୟ ଲୋକମାନେ ବାତ୍ୟାଶ୍ରୟ ସ୍ଥଳରେ ରହିଛନ୍ତି । ଏହା ସହ ଗୋପାଳିତ ପଶୁମାନଙ୍କ କ୍ଷୟକ୍ଷତି ହୋଇଛି । ଏହି ସମୟରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଆଗକୁ ଆସି ପ୍ରଭାବିତ ଅଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହାୟତା ଓ ସହଯୋଗର ହାତ ବଢାଇ କାର୍ଯ୍ୟ କରୁଛନ୍ତି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଆହ୍ୱାନ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ  ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପ୍ରଭାବିତ ଅଂଚଳରେ ରିଲିଫ ଓ ରିଷ୍ଟୋରେସନ କାର୍ଯ୍ୟରେ ଲାଗି ପଡିଛନ୍ତି । ବାତ୍ୟାଶ୍ରୟ ସମେତ ନିଜ ନିଜ ଘରେ ଅସହାୟ ଅବସ୍ଥାରେ ଥିବା ଅଂଚଳବାସୀଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ସମେତ ମହମବତୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଛନ୍ତି ।

ସବୁଠୁ ଅଧିକ ପ୍ରଭାବିତ ଭଦ୍ରକ ଜିଲ୍ଲାର ଅସ୍ଥଳ, ମଠସାହି, ବଙ୍କସାହି, କୁଆଁଶ, ବନ୍ତଛକ, ଆମ୍ବରୋଳି, ଭଣ୍ଡାରିପୋଖରୀ ଅଂଚଳରେ ଚୁଡା ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏହି କାର୍ଯ୍ୟରେ ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲା ସଭାପତି ବିକାଶ ସ୍ରେଷ୍ଟାଙ୍କ ସମେତ ଦେବାଂଶୁ ରାଉତ, ସରୋଜ ରାଉତ, ଦେବବ୍ରତ ଦାସ, ମିଲନ ବଳ, ଅଭିନାଷ ପାତ୍ର, ଜୀବନ ବେହେରା, ପ୍ରବୀଣ ରାଉତ ପ୍ରମୁଖ ସାମିଲ ହୋଇଥିଲେ ।

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୁଡିପଦା ଅଂଚଳ ସମେତ ଜିଲ୍ଲାର ବସ୍ତା ଅଂଚଳରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ ଦତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସଭାପତି ରାଜେଶ ମହାପାତ୍ର ଏବଂ ବହୁ କାର୍ଯ୍ୟକର୍ତା ରିଲିଫ ଓ ରିଷ୍ଟୋରେସନ କାର୍ଯ୍ୟରେ ସାମିଲ ହୋଇ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି ।

ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ବିକ୍ରମ ବିଶ୍ୱାଳଙ୍କ ତତ୍ୱାବଧାନରେ ଯାଜପୁର ଜିଲ୍ଲାର କୋରେଇ, ବ୍ୟାସନଗର ପ୍ରମୁଖ ସ୍ଥାନରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରନ୍ଧା ଖାଦ୍ୟ ବଂଟନ କରିଥିଲେ । ଏହି ସେବା କାର୍ଯ୍ୟରେ ଜିଲ୍ଲା ସଭାପତି ବିଶ୍ୱଜିତ୍ ରାଜ ଏବଂ ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ସେହିପରି ମୟୁରଭଂଜ ଜିଲ୍ଲା ସଭାପତି ବଳରାମ ସାହୁ, ରାଇରଂଗପୁର ସାଂଗଠନିକ ଜିଲ୍ଲା ସଭାପତି ଆଲୋକ ରଂଜନ ମହନ୍ତ, ଜଗତସିଂପୁର ଜିଲ୍ଲା ସଭାପତି ମାନସ ରଂଜନ ମହାପାତ୍ର, କେନ୍ଦୁଝର ଜିଲ୍ଲା ସଭାପତି ହେମ ରଂଜନ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମଲ୍ଲିକ ପ୍ରମୁଖ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସହ ନିଜ ନିଜ ଅଂଚଳରେ ବାତ୍ୟା ଓ ବନ୍ୟା ପ୍ରପିଡିତଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ କରିଥିଲେ ।

ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ କରୋନା ଗାଇଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରିବା ସହ ପ୍ରଶାସନକୁ ସହଯୋଗ କରାଯାଇ ଏହି ରିଲିଫ ଓ ରିଷ୍ଟୋରେସନ କାର୍ଯ୍ୟ ଜାରୀ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ଆଚାର୍ଯ୍ୟ ସୁଚନା ଦେଇଛନ୍ତି ।

 

Leave A Reply

Your email address will not be published.