ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ବୃହତ କୋଭିଡ୍ ହସ୍ପିଟାଲର ଲୋକାର୍ପଣ

0

ପାନିପଥ ରିଫାଇନାରୀର ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ – ଧର୍ମେନ୍ଦ୍ର 

ହରିୟାଣା/ନୂଆଦିଲ୍ଲୀ,– କୋଭିଡ-୧୯ର ଦ୍ୱିତୀୟ ଲହରର ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ହରିୟାଣାବାସୀଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପାନିପଥ ଠାରେ ଇଣ୍ଡିଆନ ଅଏଲର ବିଶୋଧନାଗାର ପକ୍ଷରୁ ଲୋକାର୍ପିତ ହୋଇଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟର ତଥା ଗୁରୁ ତେଗ  ବାହାଦୁର ସଞ୍ଜିବନୀ ହସ୍ପିଟାଲକୁ  ଇଣ୍ଡିଆନ ଅଏଲ ମାଗଣାରେ ଦୈନିକ ୧୫ ମେଟ୍ରିକ୍ ଟନ ଗ୍ୟାସୀୟ ଅକ୍ସିଜେନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜଙ୍କ  ଉପସ୍ଥିତିରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇଣ୍ଡିଆନ ଅଏଲର ଏହି ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ବେଡ୍ ସହ ତେଗ ବାହାଦୁର ସଞ୍ଜିବନୀ ହସ୍ପିଟାଲର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଞ୍ଜିବନୀ ହସ୍ପିଟାଲରେ  ବ୍ୟବସ୍ଥିତ ପ୍ରତ୍ୟେକ ଶଯ୍ୟାକୁ ଅକ୍ସିଜେନ ଯୋଗାଯିବାର ବ୍ୟବସ୍ଥା କରାଯାଇଛି । ଇଣ୍ଡିଆନ ଅଏଲ ମାଗଣାରେ ଏହି ହସ୍ପିଟାଲକୁ ୧୫ ମେଟ୍ରିକ୍ ଟନ ଗ୍ୟାସୀୟସ ଅକ୍ସିଜେନ ଯୋଗାଇବ । ପାନିପଥ ରିଫାଇନାରୀର ଏମଇଜି ପ୍ଲାଂଟ ସହ ସଂଯୋଗ ହୋଇଥିବା ଏକ ଷ୍ଟିଲ୍ ପାଇପଲାଇନ ସାହଯ୍ୟରେ ଗ୍ୟାସୀୟସ ଅକ୍ସିଜେନ ଯୋଗାଯିବ । ଏହି ସୁବିଧା ହରିୟାଣାର ପାନିପଥ, ସୋନିପଥ, କର୍ଣ୍ଣଲ ଏବଂ ଅନ୍ୟାନ୍ୟ ଅଂଚଳରେ କୋଭିଡ୍  ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବାରେ ସହାୟକ ହେବ ।

ସେହିପରି ପାନିପଥରର କୋଭିଡ଼ କେୟାର ସେଂଟରରେ ନିୟୋଜିତ ଡ଼ାକ୍ତର ମାନଙ୍କ ପାଇଁ ମଧ୍ୟ ନିକଟବର୍ତି ହୋଟେଲରେ ଇଣ୍ଡିଆନ ଅଏଲ ପକ୍ଷରୁ ଆଗାମୀ ୬ ମାସ ପାଇଁ ୫୦ଟି ରୁମର ବ୍ୟବସ୍ଥା କରାଯାଇଛି । କୋଭିଡ୍-୧୯ ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ହରିୟାଣାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଇଣ୍ଡିଆନ ଅଏଲକୁ କୃତଜ୍ଞତା ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ସମ୍ମୁଖୀନ କରିବା ପାଇଁ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି । ବର୍ତମାନ ସମୟରେ ବିଦେଶରୁ ଭାରତ ସରକାର ଙ୍କ ଦ୍ୱାରା ୧୩ ହଜାର ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଆମଦାନୀ କରାଯାଉଛି । ଉପସାଗରୀୟ ଦେଶସମୂହ ତଥା ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରୁ ଦେଶକୁ ଲିକୁଇଡ଼ ମେଡ଼ିକାଲ ଅକ୍ସିଜେନ ଆସୁଛି । କେବଳ ଅକ୍ସିଜେନ୍, ଭେଂଟିଲେଟର, ବେଡ୍ ତଥା ମେଡିକାଲ ଭିତିଭୂମି ନୁହେଁ ବରଂ ମେଡିସିନ ଏବଂ ଭ୍ୟାକସିନ ଉତ୍ପାଦନ  ଓ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.