ଶିମିଳିପାଳରୁ ସାତକୋଶିଆକୁ  ମହେନ୍ଦ୍ର ଓ ରାଜକୁମାରକୁ ସ୍ଥାନାନ୍ତରିତକୁ ବିରୋଧ

0

03-07-18-baripada.jpg - 74.51 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଜୁନ ୨୭ ତାରିଖରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ଅନୁଗୋଳ ଜିଲ୍ଲାର ସାତକୋଶିଆ ଜଙ୍ଗଲକୁ ଅଣାଯାଇଥିଲା ଏକ ୩ ବର୍ଷ ବୟସ ଓ ୧୯୦ କେଜି ଓଜନର ମହାବଳ ବାଘ କାହ୍ନା । ଏହାପରେ ଜୁନ ୨୮ ଗୁରୁବାର ସନ୍ଧ୍ୟାରେ ସେହି ମଧ୍ୟପ୍ରଦେଶର  ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣରୁ ସାତକୋଶିଆରେ ଆସି ପହଁଞ୍ଚିଥିଲା ଅଢେ଼ଇ ବର୍ଷ ଓ ୧୩୫ କି.ଗ୍ରା ଓଜନର ଏକ ବାଘୁଣୀ ସୁନ୍ଦରୀ । ପୁଣି ଆସନ୍ତା ୩ ମାସ ମଧ୍ୟରେ ୨ଯୋଡ଼ା ବାଘ-ବାଘୁଣୀ ସାତକୋଶିଆ ଜଙ୍ଗଲକୁ ଆସିବେ । ଏମାନଙ୍କ ବେକରେ ସାଟେଲାଇଟ  ବେସ ରେଡ଼ିଓକୋଲାର ଲଗାଯାଇ ସାତକୋଶିଆ ଜଙ୍ଗଲ ମଧ୍ୟରେ ବାଘ ଓ ବାଘୁଣୀମାନଙ୍କର ଗତିବିଧି ଆଦି ଉପରେ ନଜର ରଖାଯିବା ସହିତ ହାତୀ ପିଠିରେ ବସି ସେମାନଙ୍କର କାର୍ଯ୍ୟକଳାପ, ଚାଲିଚଳଣି ଆଦିକୁ ନିରୀକ୍ଷଣ କରାଯିବ । ତେବେ ସାତକୋଶିଆରେ ତାଲିମ ପ୍ରାପ୍ତ ପୋଷା ହାତୀ ନ ଥିବା କାରଣରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରହିଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର ଉପରେ ନଜର ପଡ଼ିଥିଲା ଏବଂ ଏମାନଙ୍କୁ ସାତକୋଶିଆ ଜଙ୍ଗଲକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ବନ ବିଭାଗ ପକ୍ଷରୁ ଡେପୁଟେସନରେ ପଠାଯିବା ନିମନ୍ତେ ଶିମିଳିପାଳରୁ ଅଣାଯାଇ ଯଶିପୁରର ଗୁଡ଼ୁଗୁଡ଼ିଆଠାରେ ରଖାଯାଇଥିଲା । ମାତ୍ର ଦୁଇ ପୋଷା ହାତୀ ଟ୍ରକରେ ଯିବା ପାଇଁ ଅମଙ୍ଗ ହେବାରୁ ସେମାନଙ୍କୁ ଜୁଲାଇ ୩ରେ ଚଲାଇଚଲାଇ ଜାତୀୟ ରାଜପଥରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ନିଆଯାଉଥିବା ସମୟରେ କରଞ୍ଜିଆ ଉପଖଣ୍ଡ ସିଙ୍ଗଡ଼ା ଛକ ନିକଟରେ ସ୍ଥାନୀୟ ଜନସାଧାରଣ ଓ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଭୂବନ ବିହାରୀ ସାହୁଙ୍କ ନେତୃତ୍ୱରେ କବୀର ଦାସ, ଦୀପକ ମହାନ୍ତ, ରଜତ ବାରିକ ପ୍ରମୁଖ ଶତାଧିକ ଯୁବକଂଗ୍ରେସ କର୍ମୀ ବିରୋଧ କରିଥିଲେ । ସେହିପରି ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆକୁ ପଠାଇବାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ଓ ଯୁବ କଂଗ୍ରେସ ସଭାପତି ରାକେଶ ସିଂଙ୍କ ନେତୃତ୍ୱରେ ଆଶିଷ କୁମାର ବାରିକ, ଜୀବନ ବାରିକ, ଅଂଶୁମାନ ଦାସ, ଅରବିନ୍ଦ ଦାସ ପ୍ରମୁଖ ଏକ ଘଣ୍ଟା ଧରି ୧୮ ନମ୍ବର ଜାତୀୟ ରାଜପଥକୁ ମୁର୍ଗାବାଡ଼ି ନିକଟରେ ଅବରୋଧ କରିବା ସଂଗେସଂଗେ ଭଞ୍ଜପୁରସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଫାଟକରେ ତାଲା ପକାଇ ଦେଇଥିଲେ । ଖବରପାଇ ବାରିପଦା ଟାଉନ ଥାନା ପୁଲିସ ଓ ବାରିପଦା ଉପଜିଲ୍ଲାପାଳ ପ୍ରମୁଖ ପହଁଞ୍ଚି ଆଂଦୋଳନ କାରୀକାରୀମାନଙ୍କୁ ବୁଝାସୁଝା କରାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଆନେ୍ଦାଳକାରୀମାନଙ୍କ ପକ୍ଷରୁ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ସିଙ୍ଗଡ଼ାଠାରେ କଂଗ୍ରେସ ଆନେ୍ଦାଳନକାରୀମାନେ ହାତୀକୁ ଆଗକୁ ଯିବାକୁ ଦେଇନଥିଲେ । ପ୍ରକାଶ ଥାଉକି, ୨୦୦୧ ଡ଼ିସେମ୍ବର କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ହାମସୁରା ହସ୍ତୀ ପ୍ରକଳ୍ପରୁ  ଦନ୍ତାହାତୀ ମହେନ୍ଦ୍ର ସହିତ ମାଈ ହାତୀ ଭବାନୀ ଓ ଶୋଭାକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା ଏବଂ ଭବାନୀ ଔରସରୁ ମାଈ ହାତୀ ଶାବକ ଶିବାନୀ ଓ ଅଣ୍ଡିରା ଶାବକ ରାଜକୁମାର ଜନ୍ମ ନେଇଥିଲା । 

Leave A Reply

Your email address will not be published.