ଅଳ୍ପବିଦ୍ୟା ଭୟଂକରୀ, ବିଧି ବିଧାନ ନଜାଣି ବିଜେପି ଲୋକହସା: ବିଜେଡି

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଧି ବିଧାନ ସଂକ୍ରାନ୍ତରେ ଅବହିତ ନହୋଇ ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେପି ନେତ୍ରୀ ସିଏଜି ରିପୋର୍ଟ ଉପରେ ଆଜି ଯେଭଳି ପୁଳାଏ ଅସତ୍ୟ କହିଛନ୍ତି ଯାହା ସମ୍ପୂର୍ଣ୍ଣ, ଅବାସ୍ତବ, କପୋଳକଳ୍ପିତ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି ଯେ ଲେଖାଶ୍ରୀ ବୋଧହୁଏ ଜାଣିନାହାନ୍ତି ଯେ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେଲାପରେ ବିଧାନସଭାର ପବ୍ଲିକ ଆକାଉଣ୍ଟସ୍‍ କମିଟିରେ ତାହାର ତର୍ଜମା କରାଯାଏ, ଯେଉଁ କମିଟିର ଅଧ୍ୟକ୍ଷ ହେଉଛନ୍ତି ତାଙ୍କରି ଦଳର ନେତା ବିଧାୟକ ପ୍ରଦୀପ୍ତ ନାଏକ । ପବ୍ଲିକ ଆକାଉଣ୍ଟସ କମିଟି ତର୍ଜମା କରିବା ପୂର୍ବରୁ ବିଜେପି ନେତ୍ରୀ ତରବରିଆ ଭାବରେ ବକ୍ତବ୍ୟ ରଖିବା ତାଙ୍କର ଅଜ୍ଞାନତାକୁ ପରିପ୍ରକାଶ କରୁଛି । ସେ ଯଦି ଜଣେ ବିଧାୟକ ଥାନ୍ତେ ତେବେ ଏ ସଂକ୍ରାନ୍ତୀୟ ବିଧି ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ଥାଆନ୍ତେ । 

ସିଏଜି ଏ ପ୍ରକାରର ରିପୋର୍ଟ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାରମାନଙ୍କୁ ପ୍ରଦାନ କରିଥାନ୍ତି ଏବଂ ସରକାରମାନେ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରି ସରକାରୀ ସ୍ତରରେ ଉଚିତ୍‍ କାର୍ଯାନୁଷ୍ଠାନ ଗ୍ରହଣ କରିଥାନ୍ତି । ବିଜେପି ଶାସିତ କେନ୍ଦ୍ର ଏବଂ ଅନ୍ୟ ରାଜ୍ୟମାନଙ୍କୁ ଏହିପରି ସିଏଜି ରିପୋର୍ଟ ଦିଆଯାଏ ଏବଂ ମତ ରଖାଯାଏ । ହେଲେ ବିଜେପି ନେତ୍ରୀଙ୍କ କ୍ଷେତ୍ରରେ ଅଳ୍ପବିଦ୍ୟା ଭୟଂକରୀ ସ୍ଥିତି ସୃଷ୍ଟି କରିଛି । ଯେହେତୁ ସେ ଏସବୁ ବିଷୟ ଜାଣିନାହାନ୍ତି ସେଥିପାଇଁ ଏ ପ୍ରକାର ଆଗଚଲା ମତ ରଖିଛନ୍ତି । 

ଲେଖାଶ୍ରୀ ନିଜକୁ ରାଜନୈତିକ ସ୍ତରରେ ଚର୍ଚ୍ଚାରେ  ରଖିବାପାଇଁ ଏପ୍ରକାରର ଅବାନ୍ତର ବକ୍ତବ୍ୟ ରଖୁଛନ୍ତି । ଆମେ ଆଶା କରୁଛୁ ଯେ ଆଗାମୀ ଦିନରେ ନିଜର ବିବୃତ୍ତି ରଖିବା ପୂର୍ବରୁ ବିଧି ବିଧାନ ପଢିକି ମତ ଦିଅନ୍ତୁ | ନହେଲେ ଏ ପ୍ରକାର ଲୋକହସା ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

 

Leave A Reply

Your email address will not be published.