କଠିନ ବାହ୍ୟବସ୍ତୁ ସୁପରିଚାଳନା ନିମନ୍ତେ ବ୍ୟବହାରିକ ଦେୟ ଆଦାୟକୁ କଂଗ୍ରେସ ପକ୍ଷରୁ ବିରୋଧ

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ସ୍ୱାକ୍ଷରରେ ପୌରପରିଷଦ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୦୩/୦୨.୦୩.୨୦୨୧ ଅନୁଯାୟୀ ବାହ୍ୟ ବସ୍ତୁ ପରିଚାଳନା ନିୟମ ଅନୁଯାୟୀ ପୌରାଞ୍ଚଳରେ ଥିବା ସମସ୍ତ ଗୃହବାସୀନ୍ଦା, ବ୍ୟବସାୟ ପ୍ରତିଷ୍ଠାନ ଓ ସହରାଞ୍ଚଳରେ ଗଢ଼ି ଉଠିଥିବା ସମସ୍ତ ଛୋଟ ଓ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କରୁ ନିର୍ଗତ ହେଉଥିବା ବାହ୍ୟ ବସ୍ତୁଗୁଡ଼ିକର ସୁପରିଚାଳନା ନିମନ୍ତେ ଦେୟ ଆଦାୟ ନିମନ୍ତେ ପୌରପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ଦେୟ ଆଦାୟକୁ ତୁରନ୍ତ ବନ୍ଦ କରାଯିବା ନିମନ୍ତେ ଦାବୀ କରିଛି । ଏଥି ନିମନ୍ତେ ବାରିପଦା ନଗର ସଭାପତି ଶାନ୍ତନୁ ପାଲଙ୍କ ନେତୃତ୍ୱରେ ଜ୍ୟୋତିପ୍ରକାଶ ରଥ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମୀତା ଘୋଷାଲ, ତାରା ପ୍ରସାଦ ବେହେରା, ଜ୍ୟୋତି ପ୍ରକାଶ ଦାଶ, କୌଶିକ୍ ମିଶ୍ର, ବୁଧୁରାମ ସିଂ ଓ ନିର୍ମଳ ପ୍ରଧାନ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ  ପୌର ନିର୍ବାହୀ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ଉକ୍ତ ଦାବିପତ୍ରରେ ବାରିପଦା ପୌର ପରିଷଦର ଉଦାସୀନତା କାରଣରୁ ପୌରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିପର୍ଯ୍ୟସ୍ତ ଡ୍ରେନଜ ବ୍ୟବସ୍ଥା କାରଣରୁ ସାମାନ୍ୟ ଅସରାଏ ବର୍ଷ ହେଲେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଜନସାଧାରଣ ଘରେ ପଶୁଛି । ସହରରେ ଜବରଦଖଲ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ପୌରପ୍ରଶାସନ ଏ ଦିଗରେ ନୀରବଦ୍ରଷ୍ଟା ସାଜିଛି । ରାସ୍ତାଘାଟ ଖାଲଖମାରେ ପରିଣତ ହୋଇଛି । ସହରରେ ରାସ୍ତାଘାଟ, ଲାଇଟ ଓ ଡ୍ରେନେଜ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ସମୟରେ ପୌରପ୍ରଶାସନ ହୋଲଡ଼ିଂ ଟ୍ୟାକ୍ସ, ପାଇଖାନା ଟିକସ, ବିଜୁଳି, ପାଣି ଟିକସ ସହିତ ଖଜଣା ଆଦାୟ କରିବାରେ ଲାଗିଛି । ଏଣୁ ବାରିପଦା ଟାଉନ କଂଗ୍ରେସ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯାଇଛି ଏବଂ ପୌର ପ୍ରଶାସନ ସହରବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପ୍ରସ୍ତାବିତ ନୂତନ ଟିକସ ଆଦାୟ ପ୍ରକ୍ରିୟାରୁ ନିବୃତ ହେବାକୁ ଟାଉନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି ।

 

Leave A Reply

Your email address will not be published.