ଭୁଷୁଡ଼ି ପଡିଲା ସ୍କୁଲ ଫାଟକ , ଚାଲିଗଲା ଶିଶୁର ଜୀବନ 

0
  • ବିଦ୍ୟାଳୟ ଫାଟକ ତଳେ ଚାପି ହୋଇ ଜଣେ ଛାତ୍ରୀ ମୃତ

  • ଜଣେ ଛାତ୍ର ଏବଂ ଜଣେ ଛାତ୍ରୀ ଗୁରୁତର

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଅ ବ୍ଲକ ବେଲକଟି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି I ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗିଯିବାରୁ ଚାପି ହୋଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ରୀ ଏବଂ ଜଣେ ଛାତ୍ର ଗୁରୁତ୍ୱର ଆହତ ହୋଇଛନ୍ତି I

ପ୍ରାପ୍ତ ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ମି ସମୟରେ ସେହି ଗ୍ରାମର ସଂଜୀବ ପ୍ରଧାନଙ୍କ ଝିଅ ଶିଖା ପ୍ରଧାନ(୮), ଜମ୍ବେଦ ପ୍ରଧାନଙ୍କ ଝିଅ ଶୁଭଶ୍ରୀ ପ୍ରଧାନ(୭) ଏବଂ ଭୀମସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ(୮) ପ୍ରାଥମିକ ବିଦ୍ୟାଳୟର ଫାଟକ ନିକଟରେ ଖେଳୁଥିଲେ I ଏହି ସମୟରେ ହଠାତ ଫାଟକ ତାଙ୍କ ଉପରେ ଭୁଶୁଡି ପଡ଼ି ଥିଲା I ଫାଟକ ଏବଂ ଇଟା ତଳେ ତିନି ଜଣ ଛାତ୍ର ଛାତ୍ରୀ ଚାପି ହୋଇ ରହି ଯାଇଥିଲେ I ଏହା ଦେଖି ସ୍ଥାନୀୟ ଲୋକ ସଂଗେ ସଂଗେ ତିନି ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରି ଗୁରୁତର  ଅବସ୍ଥାରେ ଘୁ.ଉଦୟଗିରି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ I ହେଲେ ଡାକ୍ତର ଶିଖା ପ୍ରଧାନ(୮)ଙ୍କୁ ମୃତ ଘୋଷଣା କରିଥିଲେ I ଅନ୍ୟ ଦୁଇ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କୁ ଫୁଲବାଣୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା I ବେଲକଟି ଗ୍ରାମବାସୀଙ୍କ ସୂଚନା ଅନୁସାରେ ଶିଖା ପାବୁରିଆ ବିଦ୍ୟାଳୟ ଏବଂ ଶୁଭଶ୍ରୀ ଅଡାସୀକୁପା ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ I ଏହା ସହ ବେଲକଟି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ୨ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି I 

ମୃତ ଛାତ୍ରୀଙ୍କ ମୁଣ୍ଡରେ ଗଭୀର କ୍ଷତ ହେବାରୁ ପ୍ରବଳ ରକ୍ତ ଶ୍ରାବ ହୋଇଥିଲା I ଅନ୍ୟ ଦୁଇ ଗୁରୁତର ଆହତଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି I

Leave A Reply

Your email address will not be published.