ଅକ୍ଷୟ ପରିଜା ପ୍ରଡକ୍ସନର ମେଗା ଧାରାବାହିକ ‘କେମିତି କହିବ କହ’ 

0 2

ଓଡ଼ିଆ ଟେଲିଭିଜନ ଜଗତରେ ଚହଳ ସୃଷ୍ଟି କରିଥିବା ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ମେଗା ଧାରାବାହିକ ‘କେମିତି କହିବି କହ’ ଜାନୁଆରୀ 25 ତାରିଖରୁ ପ୍ରସାରଣ ଆରମ୍ଭ କରିବ | ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ବ୍ୟୟବହୁଳ  ମେଗା ଧାରାବାହିକ ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ନିର୍ମିତ ହୋଇଛି | ଏହାର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଜଣାଶୁଣା ଅଭିନେତ୍ରୀ ସୁପ୍ରିୟା | ଏହା ବ୍ୟତୀତ ଇଶା ବେବର୍ତ୍ତାଙ୍କ ସମେତ ଓଡ଼ିଆ ସିନେମାର ଅନେକ ପରିଚିତ ଅଭିନେତା ଓ ଅଭିନେତ୍ରୀଙ୍କୁ ଏଥିରେ ଦେଖିବାକୁ ମିଳିବ | ‘କେମିତି କହିବି କହ’ ହେଉଛି ସିଦ୍ଧାନ୍ତଙ୍କ ଅଭିନୀତ ପ୍ରଥମ ମେଗା ଧାରାବାହିକ ଏବଂ ଓଡ଼ିଆ ଟେଲିଭିଜନ ଇତିହାସର  ସବୁଠୁ ବ୍ୟୟ ବହୁଳ ସିରିୟଲ | ସିଦ୍ଧାନ୍ତଙ୍କ ଅସଂଖ୍ୟ ପ୍ରଶଂସକ ଏବଂ ଛୋଟ ପରଦାର ଅଗଣିତ ଦର୍ଶକଙ୍କ ପାଇଁ ଜୀ-ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନର ଏହା ସବୁଠୁ ବଡ ଉପହାର ତଥା ନୂଆବର୍ଷର ଭେଟି ବୋଲି କୁହାଯାଉଛି | ଓଡ଼ିଆ ସିନେମାର ସଫଳ  ନିର୍ଦ୍ଦେଶକ ସୁଶାନ୍ତ ମଣି ମେଗା ଧାରାବାହିକ ‘କେମିତି କହିବି କହ’ର ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏବଂ କ୍ୟାମେରା ପରିଚାଳନା କରିଛନ୍ତି ବଲିଉଡର ସୁପରିଚିତ କ୍ୟାମେରାମ୍ୟାନ ଚନ୍ଦ୍ରଶେଖର ରଥ ଓ ଓଲିଉଡ଼ର ଜଣାଶୁଣା କ୍ୟାମେରାମ୍ୟାନ ସୀତାଂଶୁ ମହାପାତ୍ର |

ନୂଆ କିଛି କରିବାର ଆଭିମୁଖ୍ୟ ନେଇ ଓଡ଼ିଆ ଧାରାବାହିକ ଜଗତରେ ପାଦ ରଖିଥିଲା ଅକ୍ଷୟ ପରିଜା ପ୍ରଡକ୍ସନ | ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଧାରାବାହିକ ଗୁଡିକ ଟିଆରପି ରେଟିଂରେ ଆଗରେ ରହିବା ସହିତ ବିପୁଳ ଦର୍ଶକୀୟ ସମର୍ଥନ ଲାଭ କରି ଓଡ଼ିଆ ଟେଲିଭିଜନ ଜଗତରେ ଆଲୋଡନ ସୃଷ୍ଟି କରିପାରିଛି | ଏହି କ୍ରମରେ ‘କେମିତି କହିବି କହ’ ଆଉ ଏକ ଉଲ୍ଲେଖନୀୟ ପ୍ରୟାସ | ସୁପରଷ୍ଟାର ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ ଏହା ଏକ ଫାଇନାଇଟ ସିରିଜ | ଏଥିରେ ସବୁକିଛି ପୂର୍ବ ନିର୍ଦ୍ଧିଷ୍ଟ | କିଛି ବି  ପରିବର୍ତ୍ତନ କରାଯାଇ ପାରିବ ନାହିଁ, ଯାହାକି ତଥାକଥିତ ଧାରାବାହିକରେ ଦେଖିବାକୁ ମିଳେ ନାହିଁ |’ ପ୍ରସାରଣ ସମ୍ପର୍କରେ ପ୍ରଯୋଜକ ଅକ୍ଷୟ ପରିଜା କୁହନ୍ତି, ‘ କେମିତି କହିବି କହ ଏକ ଧାରାବାହିକ ନୁହେଁ, ଏକ ବିରାଟ ପରିକଳ୍ପନା | ଏହା ସମ୍ଭବ ହୋଇପାରିଛି କେଵଳ ଜୀ-ସାର୍ଥକ ପାଇଁ | ଆମର ସମସ୍ତ କଳାକାର ଓ ଟେକନିସିଆନଙ୍କ ପାଇଁ | ପ୍ରସାରଣକୁ ନେଇ ଆମେ ସଭିଏଁ ଉତ୍ସାହିତ ଅଛୁ | ନିର୍ମାଣଶୈଳୀ ଓ କୌଶଳଗତ ଦୃଷ୍ଟିରୁ ଏହାକୁ ଆଶାତୀତ ଦାର୍ଶକୀୟ ସମର୍ଥନ ମିଳିବ ବୋଲି ନିଃସନ୍ଦେହରେ ଏବେଠୁ କୁହାଯାଇପାରେ |’ କରୋନାର ସଙ୍କଟ କାଳରେ ଯେତେବେଳେ ସମସ୍ତେ ଜୀବନ ଓ ଜୀବିକା ପାଇଁ ସଂଘର୍ଷରତ, ସେପରି ଏକ ଘଡ଼ିସନ୍ଧି ମୁହୁର୍ତରେ ଏହି ବିରାଟ ପ୍ରକଳ୍ପର  ପରିକଳ୍ପନା ନିଶ୍ଚିତ ଭାବରେ କଳାକାର ଓ ଟେକନିସିଆନଙ୍କ ମନରେ ଆଶା, ବିଶ୍ୱାସ ଓ ଭରସା ଆଣିଦେଇଛି | ଏଥିପାଇଁ  ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନିରନ୍ତର ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ | ମନୋରଞ୍ଜନର ଦୁନିଆରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଓଡିଶାର ନମ୍ବର ୱାନ ପ୍ରଯୋଜନା ସଂସ୍ଥା ଅକ୍ଷୟ ପରିଜା ପ୍ରଡକ୍ସନ ଓ ଜୀ ସାର୍ଥକ ବ୍ୟାନରରେ ପ୍ରସ୍ତୁତ ମେଗା ଧାରା ବାହିକ ‘କେମିତି କହିବି କହ’ ନିଶ୍ଚିତ ଭାବେ ଓଡ଼ିଆ ଟେଲିଭିଜନ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦ ଦେବ |

Leave A Reply

Your email address will not be published.