ଜିଲ୍ଲାରେ ୭୩ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କଲା ଗଜପତି ଜିଲ୍ଲା ପ୍ରଶାସନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅନୁସାରେ ଓଡ଼ିଶାରେ ବାଲ୍ୟବିବାହର ସ୍ଥିତି ଶତକଡ଼ା ୨୧ ପ୍ରତିଶତ ଥିଲା ବେଳେ ଗଜପତି ଜିଲ୍ଲାର ସ୍ଥିତି ତାହାଠାରୁ ବି ଖରାପ ଅଛି। ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୦୨୪ ପୂର୍ବରୁ ବାଲ୍ୟବିବାହର ସ୍ଥିତି ଶତକଡ଼ା ୧୦ ପ୍ରତିଶତରୁ କାମ୍ ରହିବା ପାଇଁ ଆବଶ୍ୟକ କାର୍ଯ୍ୟ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ କରାଯାଇଛି।

ଏହାକୁ ଆଖିଆଗରେ ରଖି ଗଜପତି ଜିଲ୍ଲାରେ ମଧ୍ୟ ଆବଶ୍ୟକ ଲକ୍ଷ୍ୟକୁ ହାସଲ କରିବା ପାଇଁ କିଛି ମାସ ହେଲା ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି। ଯେପରିକି ଜିଲ୍ଲାରେ , ପଞ୍ଚାୟତ ସମିତି ସ୍ତରରେ ଏବଂ ପଞ୍ଚାୟତ ସ୍ତରରେ ଟାସ୍କଫୋର୍ସର ଗଠନ କରି ବିଭିନ୍ନ ବିଭାଗକୁ ସେମାନଙ୍କର କାର୍ଯ୍ୟ ଉପରେ ଅବଗତ କରାଯାଇଛି।

ଜିଲ୍ଲାରେ ୧୦୦୦ ରୁ ଉର୍ଦ୍ଧ୍ବ ଗ୍ରାମରେ ବାଲ୍ୟବିବାହ ଉପରେ ସର୍ଭେ କରାଯାଇ ଗ୍ରାମସ୍ତରୀୟ ବାଲ୍ୟବିବାହ ମୁକ୍ତ କମିଟି ତିଆରି କରାଯାଇଛି। ଜିଲ୍ଲା ସ୍ତରରେ , ପଞ୍ଚାୟତ ସମିତି ସ୍ତରରେ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ସହ ବାଲ୍ୟବିବାହ ପୂର୍ବରୁ କିମ୍ୱା ସେହି ସମୟରେ କିପରି ତାକୁ ରୋକାଯାଇପାରିବ ସେଥିପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। 

ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ତିଆରି କରି ନିୟମିତ ବୈଠକ କରିବା ଉପରେ କାର୍ଯ୍ୟ କରାଯାଇଛି। ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟି ତିଆରି କରି ବାଲ୍ୟବିବାହକୁ କିପରି ରୋକାଯାଇପାରିବ ତାହାକୁ ସୁନିଶ୍ଚିତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଗ୍ରାମସ୍ତରୀୟ ବାଲ୍ୟବିବାହ ମୁକ୍ତ କମିଟିର ସୁପାରିଶ କ୍ରମେ ଏବଂ ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀଙ୍କ ଅନୁମୋଦନ କ୍ରମେ ଜିଲ୍ଲାପାଳ ୭୩ ଗୋଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ସହ ତାହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।

ଆସନ୍ତା ଦିନରେ ଜିଲ୍ଲା ପ୍ରଶାସନର ଲକ୍ଷ୍ୟ ରହିଛି ଯେ ଜିଲ୍ଲାର ସମସ୍ତ ଗ୍ରାମକୁ କିପରି ବାଲ୍ୟବିବାହ ମୁକ୍ତ ଗ୍ରାମ ହିସାବରେ ଘୋଷଣା କରାଯିବ।

Leave A Reply

Your email address will not be published.