ଭୁବନେଶ୍ୱର,: ଶନିବାର ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୋଭିଡ୍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ କିମ୍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ କିମ୍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍ସ ମେଡିକାଲ୍ କଲେଜର ଅଧ୍ୟକ୍ଷ ଓ କିମ୍ସ ମେଡିକାଲ୍ର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ଡା. ପି. କେ. ପଟ୍ଟନାୟକ ପ୍ରଥମ ଟିକା ନେଇଥିଲେ । ପରେ କିମ୍ସର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ ଆଦି ୧ଶହ କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯାଇଥିଲା । ଏଥିପାଇଁ ପୂର୍ବରୁ କିମ୍ସ ହସ୍ପିଟାଲ୍ରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସ୍ୱତନ୍ତ୍ର ଟିକା କରଣ ଗୃହ ସହ ଅପେକ୍ଷା କକ୍ଷ ଓ ନିରୀକ୍ଷଣ କକ୍ଷ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ହିତାଧିକାରୀଙ୍କ ପରିଚୟ ଯାଞ୍ଚ ପରେ ଟିକା ପ୍ରଦାନ କରାଯାଇଥିଲା। ଟିକା ଗ୍ରହଣ ପରେ ସେମାନଙ୍କୁ ନିରୀକ୍ଷଣ କକ୍ଷରେ ଅତିକମରେ ଅଧଘଣ୍ଟା ପର୍ଯ୍ୟନ୍ତ ଜଣେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଥିଲା। ଓଡ଼ିଶାରେ କୋଭିଡ୍-୧୯ ଟିକା ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ଟିକାକରଣ ପାଇଁ କିମ୍ସ ହସ୍ପିଟାଲ୍ ପକ୍ଷରୁ ସମସ୍ତ ପ୍ରସ୍ତୁତ ଆରମ୍ଭ କରାଯାଇଥିଲା। କିମ୍ସରେ କାର୍ଯ୍ୟ କରୁଥିବା ୩ହଜାର କୋଭିଡ୍ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ କରାଯାଇ ଏହାକୁ ସରକାରଙ୍କ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ବିଏମ୍ସିକୁ ପ୍ରଦାନ କରାଯାଇଥିଲା । ଏମାନେ ସମସ୍ତେ କିମ୍ସ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। କିମ୍ସର କମ୍ୟୁନିଟି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ଓମ୍ ପ୍ରକାଶ ପାଣିଗ୍ରାହୀଙ୍କୁ ଟିକାକରଣ କେନ୍ଦ୍ରର ନୋଡାଲ୍ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ କିମ୍ସରେ ପ୍ରଥମ ଦିନରେ ପ୍ରଥମ ଟିକା ଗ୍ରହଣ କରିଥିବା ମେଜର ଜେନେରାଲ୍ ଡା. ପଟ୍ଟନାୟକଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.