ପଇସା ପାଇଁ ପଶୁ ପାଲଟୁଛି ମଣିଷ 

0
  •  ପୁଣି ଦନ୍ତାହାତୀ ଶିକାର, ନୃଶଂସ ଭାବେ କାଟିନେଲେ ମୁଣ୍ଡ ଓ ଦାନ୍ତ

  • କ୍ଷେତ୍ର ପରିଦର୍ଶନ କଲେ ଡିଏଫଓ, ଆରସିସିଏଫ୍

ବାରିପଦା,(ଦିଲ୍ଲୀପ ମହାନ୍ତି ): ଶିମିଳିପାଳ ଅଭୟାରଣ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀ ଶିକାର। ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ ଶୁକୁଆପଡ଼ା ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୦ବର୍ଷ ବୟସ୍କ ଏକ ଦନ୍ତାହାତୀ ଶିକାର ହୋଇଛି। ଶିକାରୀମାନେ ଗୁଳିମାଡ଼ କରି ଏହି ଦନ୍ତାହାତୀକୁ ମାରିଥିବା ଜଣାପଡ଼ିଛି। ହାତୀକୁ ହତ୍ୟା କରିବା ପରେ ନୃଶଂସ ଭାବେ ମୁଣ୍ଡ ଏବଂ ଦାନ୍ତ କାଟିନେଇଯାଇଥିବା ଜଣାପଡ଼ିଛି। ପ୍ରାୟ ଦୁଇ ଦିନ ପୂର୍ବରୁ ଏହି ଶିକାର ହୋଇଥିଲେ ମଧ୍ୟ ଘଟଣାସମ୍ପର୍କରେ ଆଜି ଜଣାପଡ଼ିଥିଲା। ଏସମ୍ପର୍କରେ ସୂଚନା ପାଇ ଆଜି ବାରିପଦା ଡିଏଫଓ ସନ୍ତୋଷ ଯୋଶୀ, ଫିଲ୍ଡ ଡାଇରେକ୍ଟର କମ୍ ଆରସିସିଏଫ୍, ଏସିଏଫ ଦିଲୀପ ବାରିକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ହାତୀ ଶିକାର ହୋଇଥିବା ଜଣାପଡ଼ିଛି। ଏସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଡିଏଫଓ ଶ୍ରୀ ଯୋଶୀ କହିଛନ୍ତି। ତେବେ ଦନ୍ତାହାତୀର ବୟସ ପ୍ରାୟ ୨୦ ହେବ ବୋଲି ସେ କହିଛନ୍ତି। ଗୁଳିବିଦ୍ଧ ହେବା ପରେ ଦନ୍ତା ହାତୀ ଢେର ସମୟ ପର୍ଯ୍ୟନ୍ତ ବଞ୍ଚିବାକୁ ସଂଘର୍ଷ କରିଛି। ଶରୀର ନିଷ୍ପ୍ରଭ ହୋଇଗଲା ପରେ ଶିକାରୀମାନେ ଦନ୍ତାହାତୀର ମୁଣ୍ଡ ଏବଂ ଦାନ୍ତ କାଟିନେଇ ଦେହାବଶେଷ ଛାଡ଼ିଯାଇଛନ୍ତି। ଯାହାକି ବର୍ବରତାକୁ ସୂଚାଉଛି। ଶିକାରୀମାନଙ୍କୁ ତୁରନ୍ତ ଧରିବାକୁ ପରିବେଶବିତମାନେ ଦାବି କରିଛନ୍ତି।  

Leave A Reply

Your email address will not be published.