ପିଙ୍କସିଟିରେ ପ୍ରାମାଣିକ ଚଳଚିତ୍ର “ଦ ଡିଭାଇନ୍ ଡକ୍ଟର୍”!! 

0 1

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ଗୀତାଞ୍ଜଳି ପ୍ରଡକ୍ସନ ବେନରରେ ନିର୍ମିତ ତଥା ଗୌତମ ମିଶ୍ରଙ୍କ ଦ୍ୱିତୀୟ ପ୍ରାମାଣିକ ଚଳଚିତ୍ର  “ଦ ଡିଭାଇନ୍ ଡକ୍ଟର୍ ” ୧୩ତମ ଜୟପୁର ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନିତ ହୋଇଛି। ଆଗାମୀ ଜାନୁଆରୀ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଚଳଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। କୋଭିଡ କଟକଣା ଯୋଗୁଁ କିଛି କାର୍ଯ୍ୟକ୍ରମ  ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହି ଚଳଚିତ୍ର ମହୋତ୍ସବ ପାଇଁ ଦେଶ ବିଦେଶରୁ ୨୦୦୦ ରୁ ଉର୍ଦ୍ଧ ଚଳଚିତ୍ର ଆବେଦନ ଆସିଥିଲା ତନ୍ମଧ୍ୟରୁ “ଦ ଡିଭାଇନ୍ ଡକ୍ଟର୍” କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ବର୍ଗରେ ପ୍ରଦର୍ଶିତ ହେବାପାଇଁ ସ୍ୱୀକୃତି ଲାଭ କରିଛି।

ସୂଚନା ଥାଉ, ଏହି ପ୍ରାମାଣିକ ଚଳଚିତ୍ରରେ  ଭାରତ ତଥା ବିଶ୍ୱରେ ଘଟୁଥିବା କୀଟନାଶକ ଜନିତ ଆତ୍ମହତ୍ୟା ଭଳି ଗମ୍ଭୀର ସାମାଜିକ ସମସ୍ୟା ଏବଂ ତାର ଶୀଘ୍ର ସମାଧାନ ପାଇଁ ଉଲ୍ଲେଖ ରହିଛି।  କୀଟନାଶକ ପିଇ ଆତ୍ମହତ୍ୟା କରୁଥିବା ଅଧିକାଂଶ ଜଣ ଚାଷ ସହିତ ସମ୍ପୃକ୍ତ। ବିଶେଷ କରି ପଶ୍ଚିମ ଓଡ଼ିଶାରେ କୀଟନାଶକଜନିତ ଆତ୍ମହତ୍ୟା ଦ୍ରୁତ ଗତିରେ ବଢିଚାଲିଛି। ନିକଟରେ ଲଟାମରା “ପାରାକୁଏଟ୍” ସେବନ କରି  ଅନେକ ଲୋକ ପ୍ରାଣ ହରାଇଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଏହି କିଟନାଶକ ପାଇଁ କୌଣସି ଆଣ୍ଟିଡୋଟ ନାହିଁ। ଏହାକୁ  ବୁର୍ଲା ଭୀମସାର କିଛି ଯୁବ ଡାକ୍ତରମାନେ ପ୍ରଥମେ ଲୋକଲୋଚନକୁ ଆଣିଥିଲେ ଏବଂ ସେମାନେ କିଟନାସକ ପାରାକୁଏଟକୁ ନିଷେଧ କରିବାକୁ ଦାବି କରିଆସୁଛନ୍ତି।ଏ ସନ୍ଧର୍ଭରେ ଭୀମସାର ଡାକ୍ତର ଶ୍ରୀ ଶଙ୍କର ରାମଚନ୍ଦାନି ଏବଂ ଅନ୍ୟ ସମ୍ପୃକ୍ତ ଡାକ୍ତର ମାନଙ୍କ ବାସ୍ତବିକ ସଂଘର୍ଷର କାହାଣୀ,ଫିଲ୍ମରେ ଚିତ୍ରଣ ହୋଇଛି।

ଏହି ଚଳଚିତ୍ର ନିର୍ମାଣରେ କ୍ଷୀରୋଦ ମହାରଣା ଭିଡ଼ିଓ ଏଡିଟିଙ୍ଗ, ସୁବୋଧ ମହାରଣା ସାଉଣ୍ଡ, ନବ ହେଣ୍ଡିକ କେମେରା ଏବଂ ପୁଷ୍ପେନ୍ଦୁ ହାଲଦାର ଏସିସଟେଣ୍ଟ କେମେରାମେନ ଭାବେ ସହାୟତା କରିଛନ୍ତି। ପ୍ରକାଶ ଥାଉ, ଗୌତମ ମିଶ୍ରଙ୍କ ପ୍ରଥମ କ୍ଷୁଦ୍ର ଚଳଚିତ୍ର “ଖଡିଛୁଆଁ” ଦେଶର ବିଭିନ୍ନ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହୋଇଛି। ଦ୍ୱିତୀୟ ଚଳଚିତ୍ର “ଦ ଡିଭାଇନ ଡକ୍ଟର” ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ସଫଳ ହେବ ବୋଲି ଶ୍ରୀ ମିଶ୍ର ଆଶା କରିଛନ୍ତି।

Leave A Reply

Your email address will not be published.