କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାରଙ୍କ ନାମର ଷ୍ଟିକରିଂ : ଲୋକ କାହାର? 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) – ରାଜନୀତିରେ ସବୁ ଠିକ୍। କେନ୍ଦ୍ର ଓ ରାଜ୍ୟରେ ଅଲଗା ଅଲଗା ସରକାର ଥିଲେ ଆରୋପ ପ୍ରତ୍ୟାରୋପ ଯେପରି ନିୟମସମ୍ମତ।  କେତେବେଳେ କେନ୍ଦ୍ର ଆରୋପ କରେ ଯେ ରାଜ୍ୟ ସରକାରଙ୍କ ଦ୍ବାରା କେନ୍ଦ୍ରର  ଯୋଜନାକୁ ରାଜ୍ୟ ସରକାର ଲାଗୁ କରିବାକୁ ରାଜି ନୁହଁନ୍ତି, ତ ରାଜ୍ୟ ସରକାରମାନେ କେନ୍ଦ୍ରକୁ ବାରମ୍ବାର ତାଙ୍କ ପ୍ରତି ଅବହେଳା କରୁଥିବା ଦାୟୀ କରନ୍ତି। ହେଲେ ସାଧାରଣ ଜନତା ବୁଝି ପାରନ୍ତି ନାହିଁ ଏ ଦୁଇ ସରକାରଙ୍କ କଳିରେ ତାଙ୍କର ସ୍ଥାନ କେଉଁଠି?  ଝାରସୁଗୁଡ଼ା ବିଜେପି କିନ୍ତୁ ଆଜି ଏକ ନୂଆ ପ୍ରକାରର ଆରୋପ ଲଗାଇଛି ରାଜ୍ୟ ସରକାରଙ୍କ ଉପରେ। ବିଜେପି ଅନୁସାରେ କେନ୍ଦ୍ର ଦେଉଥିବା ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାର ଷ୍ଟିକର ଲଗାଯାଉଛି। ଏହାଦ୍ୱାରା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ବିଜେପି ଅଭିଯୋଗ କରି ଝାରସୁଗୁଡ଼ା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। 

ସୂଚନା ଅନୁଯାୟୀ, ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ଦଳର ପ୍ରଚାର ଓ ହୀନ ରାଜନୀତି କରୁଥିବା ବିରୋଧରେ ଆଜି ଯୁବ କାର୍ଯ୍ୟକର୍ତ୍ତା ଗୋପାଲ ପଟେଲଙ୍କ ନେତୃତ୍ଵରେ ଝାରସୁଗୁଡ଼ା ବିଜେପି ତରଫରୁ ଷ୍ଟିକରିଙ୍ଗ ବିବାଦକୁ ନେଇ ଝାରସୁଗୁଡ଼ା ବ୍ଲକ ଘେରାଓ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଚିଠି  ଯେଉଁଥିରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ବୋଲି ଉଲ୍ଲେଖ ନକରି ସବୁ ପକ୍କା ଘର ରାଜ୍ୟ ସରକାର ଦେଇଛନ୍ତି ବୋଲି ମିଥ୍ୟା ବାର୍ତ୍ତା ଉଲ୍ଲେଖ ରହିଛି , ତାହାକୁ ବ୍ଲକ ସମ୍ମୁଖରେ ଚିରି ଦିଆଯାଇଛି । ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜ ଦଳର ପ୍ରଚାର ଓ ହୀନ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଲାଗି ପଡ଼ି  ଅତୀତରେ ଧରା ମଧ୍ଯ ପଡ଼ିଛନ୍ତି ବୋଲି ବିଜେପି କହିଛି । ଆଗାମୀ ଦିନରେ ରାଜ୍ୟ ସରକାର ଯଦି ଏଭଳି ଯୋଜନା ହଡ଼ପ କାର୍ଯ୍ୟରୁ ନିବୃତ ନ ହେବେ, ତାହାଲେ ଆନ୍ଦୋଳନ ତୀବ୍ରତର ହେବ ଓ ବିଜେପି କାର୍ଯ୍ୟକର୍ତ୍ତା ରାଜରାସ୍ତା କୁ ଓହ୍ଲାଇବେ ବୋଲି ବିକ୍ଷୋଭକାରୀମାନେ ଧମକ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଯୁବ କାର୍ଯ୍ୟକର୍ତ୍ତା ନୀଳାମ୍ବର ଦଣ୍ଡସେନା,ଗ୍ରାମୀଣ ମଣ୍ଡଲ ସଭାପତି ଦୂର୍ଗା ସେଠ୍,ଦିବ୍ୟ ପଟେଲ, ରାଜେଶ ଦାଶ, ସନ୍ଦୀପ ମିଶ୍ର, ରବି ନାରାୟଣ ହୋତାଙ୍କ ସହ ଦଳର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.