ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷର ଏଫ:ଏ:କ୍ୟୁ: ମାନର ଧାନ ବିଭିନ୍ନ ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ ନିମନ୍ତେ , ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ମୁଖ୍ୟ ବଜାର ପ୍ରାଙ୍ଗଣ ଠାରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା ଯୋଗାଣ ବିଭାଗର ମିଳିତରେ ଖୋଲା ଯାଇଥିବା “ଜିଲ୍ଲା ସ୍ତରୀୟ ଧାନ କ୍ରୟମଣ୍ଡି , ଖରିଫ-୨୦୨୦-୨୧ ଉଦଘାଟିତ ହୋଇଯାଇଛି ।
ଏହି ଅବସରରେ ଚାଷୀ ମାନେ ମଣ୍ଡିକୁ ଧାନ ଆଣିବା ପାଇଁ ଜିଲ୍ଲାବ୍ୟାପୀ ଉଦ୍ଦେଶ୍ୟରେ ଏକ ଚାଷୀ ସଚେତନତା ପ୍ରଚାର ରଥ ୧୯-୧୨-୨୦୨୦ତାରିଖରେ ବାହାରିଥିଲା । ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏହି ରଥର ଶୁଭାରମ୍ଭ କରିଥିଲେ ।
ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଧାନ କ୍ରୟମଣ୍ଡିକୁ ଉଦଘାଟନ କରିଥିଲେ । ସମସ୍ତ ପଞ୍ଜିକୃତ ଚାଷୀ ଧାନ କ୍ରୟମଣ୍ଡିକୁ ସଫା ଓ ଶୁଖିଲା ସହ ସମରଙ୍ଗୀ ଓ ସମଆକାର ଧାନ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟର ଉଚିତ ମୂଲ୍ୟ ପାଆନ୍ତୁ । ମଣ୍ଡିକୁ ଆସିବା ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଥିଲେ ।
http://www.youtube.com/watch?v=iYvWSGrChyU
ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅନାଦି ଚରଣ ସେଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଚଳିତ ବର୍ଷ ସାଧାରଣ ଧାନ (ଏଫଏକ୍ୟୁ ମାନ) କ୍ୟୁଣ୍ଟାଲ ପ୍ରତି ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ କରା ଯାଇଥିବା ବେଳେ ଗ୍ରେଡ “ଏ” ଧାନ (ଏଫଏକ୍ୟୁ ମାନ) କ୍ୟୁଣ୍ଟାଲ ପ୍ରତି ମୂଲ୍ୟ ୧୮୮୮ ଟଙ୍କା ଧାର୍ଯ୍ୟ କରା ଯାଇଥିବା ସୂଚନା ଦେଇଥିଲେ ।
ଚଳିତ ୨୦୨୦-୨୧ ଖରିଫ ଋତୁରେ ପଞ୍ଜିକୃତ ହୋଇଥିବା ମୋଟ ୧୬,୦୭୮ ଜଣ ଚାଷୀଙ୍କ ଠାରୁ ସମୁଦାୟ ୩୬ ହଜାର ୪୧୭.୯୧୦ ମେଟ୍ରିକ ଟନ୍ ଧାନ ତଥା ୨୪.୪୦୦ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରାଯିବାକୁ ଲକ୍ଷଧାର୍ଯ୍ୟ ରଖାଯାଇଛି । ଏହି ସବୁ ଧାନ ତଥା ଚାଉଳ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ମାଧ୍ୟମରେ ମୋଟ ୪୪ ଟି ପେକସ ତଥା ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି କହିଥିଲେ ।
ସହକାରୀ ନିବନ୍ଧକ ଶ୍ରୀ ଟିଭି: ପ୍ରସାଦ ରାଓ ଯୋଗଦେଇ ଚାଷୀମାନେ ପୂର୍ବରୁ ଟୋକେନ୍ ପାଇବା ୭ ଦିନ ମଧ୍ୟରେ ସେମାନଙ୍କ ଉତ୍ପାଦିତ ଧାନ କ୍ରୟ କରିବା ଧାର୍ଯ୍ୟ ହୋଇଥିଲା , କିନ୍ତୁ ଚଳିତ ଥର ଏହି ଧାର୍ଯ୍ୟ ସମୟ ସୀମାକୁ ୧ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ତେଣୁ ଚାଷୀମାନେ ଟୋକେନ୍ ପାଇବା ପରେ ଶେଷ ଦିନ ପର୍ଯ୍ୟନ୍ତ ଅପେକ୍ଷା ନ କରି ଆରମ୍ଭରୁ ହିଁ ମଣ୍ଡିକୁ ନେଇ ଧାନ ଦେଲେ ଧାନ ବିକିବା ସମୟରେ ଆଉ ଭିଡ଼ ହେବନାହିଁ ବୋଲ କହିଥିଲେ ।
ଏଥିସହିତ ବର୍ତ୍ତମାନ କରୋନା ସମୟ ଚାଲିଥିବା ଯୋଗୁଁ ଧାନ ସଂଗ୍ରହ ବେଳେ କୋଭିଡ-୧୯ ଗାଇଡ଼ ଲାଇନ ପାଳନ କରାଯିବ , ସମସ୍ତ ଚାଷୀ ମଣ୍ଡିକୁ ଧାନ ଆଣିବା ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଥିଲା ।
ଏହି ଅବସରରେ ମଣ୍ଡିରେ ଧାନର ମାନ ପରୀକ୍ଷା କରିବା ପାଇଁ ରଖା ଯାଇଥିବା ମାନ ନିର୍ଦ୍ଧାରଣ ଯନ୍ତ୍ର , ମଇସଚର ମିଟର , ଡାଏଲ ମିଓସ ମିଟର , ମାପ ଓଜନ ଯନ୍ତ୍ର , ଏନାଲିଷ୍ଟ କୀଟ ଓ ଅଗାଡି ଧାନ ଦେଖିବା ଯନ୍ତ୍ର ପ୍ରଭୃତି ଓ ତାର ବ୍ୟବହାର ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ବୁଲି ଦେଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସିଏସଓ ଶ୍ରୀ ଶତ୍ରୁଘନ ଗିରି , ଏସିଏସଓ ଶ୍ରୀମନୋଜ ଦାସ , ଆରଏମସି-ସେକ୍ରେଟାରୀ ଶ୍ରୀ ଲାଡ଼ି ରଘୁବାବୁ, ଉପ ସହକାରୀ ନିବନ୍ଧକ ଶ୍ରୀ ନାରାୟଣ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କାଶୀନଗର , ଗୁମ୍ମା , ଗୋଷାଣୀ , ରାୟଗଡ ବ୍ଲକର , ବହୁ ଅଗ୍ରଣୀ ଚାଷୀ , ମିଲର ଓ ସମବାୟ ସମିତିର ସମ୍ପାଦକ ଓ ସଭାପତି ଯୋଗ ଦେଇଥିଲେ ।