ପୁଣି ଟଳିଲେ ଗଜରାଜ : କାଗଜ କଲମରେ ଚାଲିଛି ହାତୀ ନିରାପତ୍ତା 

0

ହାତୀକୁ ଧକ୍କା ଦେଲା ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନ; ଇଞ୍ଜିନ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

( ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ରବିବାର ରାତି ୨.୦୫ରେ ସମ୍ବଲପୁର ରେଳ ଷ୍ଟେସନ ନିକଟ ମାନେଶ୍ୱର ଏବଂ ହାତୀବାରୀ ମଧ୍ୟରେ  ପୁରୀ-ସୁରଟ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ଗୋଟାଏ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀ ସହ ଧକ୍କା ହେବା କାରଣରୁ ଟ୍ରେନ୍‌ ଇଂଜିନର ସମ୍ମୁଖ ପାଖର ବାମ ଓ ଡାହାଣ ପାର୍ଶ୍ୱର ୩ଟି ଲେଖାଁଏ ଚକ ଟ୍ରାକ୍‌ରୁ ବାହାରି ଯାଇଥିଲା। କିନ୍ତୁ, ଦୁର୍ଘଟଣା ଯୋଗୁଁ ଟ୍ରେନ୍‌ ରେ ଥିବା କୌଣସି ଯାତ୍ରୀଙ୍କର କିଛି ଅସୁବିଧା ହୋଇ ନ ଥିବା ପ୍ରକାଶ।

ପ୍ରାପ୍ତ ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧୦.୩୦ ସମୟରେ ୩ଟି ଦନ୍ତା, ୭ଟି ମାଈ ଏବଂ ୫ଟି ଛୁଆ ଥିବା ଏକ ହାତୀପଲ ବାବୁପାଲି ଗାଁରେ ପଶି ଦୁଇଟି ଘର ଭାଙ୍ଗିଥିଲେ। ଗାଁ ଲୋକେ ହାତୀପଲକୁ ଘଉଡ଼ାଇବାରୁ ସେମାନେ ସେଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରି ଆରପଟ ଅଞ୍ଚଳକୁ ଚାଲି ଯାଉଥିଲେ।

ଠିକ୍‌ ଏହି ସମୟରେ ରେଲ୍ ଖୁଣ୍ଟି ୧୮/୯ ନିକଟରେ ପଲର ଗୋଟାଏ ଦନ୍ତାହାତୀକୁ ଉକ୍ତ ଟ୍ରେନ୍‌ଟି ଧକ୍କା ଦେଇଥିଲା। ଧକ୍କା ଖାଇବା ପରେ ଦନ୍ତାହାତୀର ଅନ୍ତଃବୁଜୁଳା ବାହାରି ଟ୍ରାକ୍‌ର ବାମ ପଟକୁ ଓ ଶୁଣ୍ଢଟି ଡାହାଣ ପଟକୁ ଛିଟିକି ପଡ଼ିଥିଲା। ଦନ୍ତାହାତୀର ଅବଶିଷ୍ଟ ଦେହାଂଶ ଗତିଶୀଳ ଟ୍ରେନ୍‌ର ଇଞ୍ଜିନ୍‌ ତଳେ ଲାଖି ରହି ପ୍ରାୟ ୧୦୦ ମିଟର ଦୂରକୁ ଘୋଷାଡ଼ି ହୋଇଯାଇଥିଲା।

ଦୁର୍ଘଟଣା ଯୋଗୁଁ ସମ୍ପୃକ୍ତ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଡିଏଫ୍‌ଓ ଡକ୍ଟର୍‌ ସଞ୍ଜିତ କୁମାର ଓ ସଦର ରେଞ୍ଜର୍‌ ଗୌରୀଶଙ୍କର ଦାଶଙ୍କ ସମେତ ବନ ବିଭାଗର କର୍ମଚାରୀ ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ରେଳ ଇଞ୍ଜିନ୍‌ରେ ଲାଖି ରହିଥିବା ହାତୀର ଦେହାଂଶକୁ କଟର୍‌ ସହାୟତାରେ କାଟି ବାହାର କରାଯାଇଥିଲା। ପ୍ରେସର୍‌ ଜ୍ୟାକ୍‌ରେ ଇଞ୍ଜିନ୍‌କୁ ଉଠାଯାଇ ଟ୍ରାକ୍‌ରେ ରଖାଯିବା ପରେ ତାହା ସମ୍ବଲପୁର ଚାଲିଯାଇଥିଲା। ପାହାନ୍ତା ୪.୩୦ରେ ହାତୀବାରି ଷ୍ଟେସନ୍‌ରୁ ଏକ ଇଞ୍ଜିନ୍‌ ଆସି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ ବଗିଗୁଡ଼ିକୁ ହାତୀବାରି ଷ୍ଟେସନ୍‌କୁ ଫେରାଇ ନେଇଥିଲା। ସେଠାରେ ଅନ୍ୟ ଏକ ଇଞ୍ଜିନ୍‌ର ବ୍ୟବସ୍ଥା କରାଯିବା ପରେ ଟ୍ରେନ୍‌ ସକାଳ ୭.୪୦ରେ ଦୁର୍ଘଟଣାସ୍ଥଳ ଅତିକ୍ରମ କରି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଚାଲିଯାଇଛି।

ଏବେ ସମ୍ପୃକ୍ତ ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ମୃତ ଦନ୍ତାହାତୀକୁ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯିବ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ଘଟଣାର ତଦନ୍ତ ଲାଗି ରେଳବାଇ ଏକ ୫ଜଣିଆ କମିଟି ଗଠନ କରିଛି।

Leave A Reply

Your email address will not be published.