ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଅଞ୍ଚଳରେ ଏକ ନାବାଳିକାର ନିର୍ବନ୍ଧକୁ ରୋକା ଯାଇ ପାରିଛି। ଚାଇଲ୍ଡଲାଇନ ପାଖରେ ଏକ ସୂତ୍ରରୁ ଖବର ଆସିବା ପରେ ଏହାର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତା ତୁରନ୍ତ ନାବାଳିକାଙ୍କ ଘରକୁ ପହଞ୍ଚି ନିର୍ବନ୍ଧକୁ ରୋକିବାରେ ସକ୍ଷମ ହୋଇଥିଲେ। ସ୍କୁଲ ପ୍ରମାଣପତ୍ର ଅନୁଯାୟୀ ଝିଅଟିକୁ ୧୬ ବର୍ଷ ୯ ମାସ ହୋଇଥିବା ବେଳେ ଏକ ମଧ୍ୟସ୍ଥିଙ୍କ ଦ୍ବାରା ଏହି ବିବାହ ସ୍ଥିର ହୋଇଥିଲା। ପୁଅଟି ମଧ୍ୟପ୍ରଦେଶର ସାଗର ଜିଲ୍ଲାର ସାନୁଦା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଯୁବକ ଜଣକ ନିଜର ସମ୍ପର୍କୀୟ ମାନଙ୍କ ସହ ନିର୍ବନ୍ଧ ପାଇଁ ଝିଅ ଘରକୁ ଆସିଥିଲେ। ଖବର ପାଇ ଚାଇଲ୍ଡଲାଇନର କର୍ମକର୍ତ୍ତା ଓ ବିଟିଏମ୍ ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଝିଅର ସଂପର୍କୀୟମାନଙ୍କୁ ନାବାଳିକା ବିବାହର ଆଇନଗତ ଦିଗ ଓ ବାଲ୍ୟ ବିବାହ ନିଷେଧ ଆଇନ ଉପରେ ବୁଝାଇଥିଲେ। ଚାଇଲ୍ଡଲାଇନ ଏହି ଘଟଣାକୁ ନେଇ ଏକ ଷ୍ଟେସନ ଡାଏରୀ କରି ଝିଅ ଓ ସେମାନଙ୍କ ପରିବାରକୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ କରାଇଥିଲେ। ସେଠାରେ ନାବାଳିକାର ବାପା ମା ଏକ ରାଜିନାମାରେ ଦସ୍ତଖତ କଲା ପରେ ସେମାନଙ୍କୁ ଝିଅଟିକୁ ହସ୍ତାନ୍ତରିତ କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କ ସହ ଚାଇଲ୍ଡଲାଇନ ସଦସ୍ୟ ଟିକେଶ୍ବରୀ ପଟେଲ ତଥା ରଜତ ବିହାରୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.